ଚାଇନାକୁ କଡ଼ା ଜବାବ ଦେବାକୁ ତାଇଓ୍ବାନରେ ୨୦୦ ସୈନ୍ୟ ମୁତୟନ କରିବ ଆମେରିକା…

ଓ୍ବାଶିଂଟନ,୨୫।୨ : ଦକ୍ଷିଣ ଚାଇନା ସାଗରରେ ଚାଇନା ସହିତ ଯୁଦ୍ଧର ବିପଦକୁ ଦୃଷ୍ଟିରେ ରଖି ଆମେରିକା ୧୦୦ ରୁ ୨୦୦ ସୈନ୍ୟ ନିୟୋଜିତ କରିବାକୁ ଯାଉଛି। ସମ୍ପ୍ରତି ତାଇୱାନରେ ପ୍ରାୟ ୩୦ ଆମେରିକୀୟ ସୈନିକ ଅଛନ୍ତି । ସେମାନେ ତାଇୱାନ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ଯୁଦ୍ଧ ତାଲିମ ଦେବା ପାଇଁ କାର୍ଯ୍ୟ କରୁଛନ୍ତି।

ଆମେରିକା ବର୍ତ୍ତମାନ ଏହାର ତାଲିମ ପ୍ରାପ୍ତ ସୈନ୍ୟଙ୍କ ସଂଖ୍ୟାକୁ ତିନି ଗୁଣା ବୃଦ୍ଧି କରି ୨୦୦ କରିବାକୁ ଯାଉଛି। ଯାହା ଦ୍ୱାରା ଚାଇନା ଆକ୍ରମଣର ଆଶଙ୍କା ମଧ୍ୟରେ ତାଇୱାନର ସେନାକୁ ବ୍ୟାପକ ତାଲିମ ଦିଆଯାଇପାରିବ। ଏହି ତାଲିମ ପ୍ରାପ୍ତ ସୈନିକମାନଙ୍କୁ ଆଗାମୀ ସମୟରେ ନିୟୋଜିତ କରାଯିବ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ଏହି ସୈନ୍ୟ ମୁତୟନକୁ ସାର୍ବଜନୀନ କରିବାକୁ ଚାହୁଁନାହିଁ କାରଣ ଚାଇନାକୁ ଉତ୍ତେଜିତ ନ କରି ବେଜିଂ ଦ୍ୱାରା ହେବାକୁଥିବା ସମ୍ଭାବ୍ୟ ଆକ୍ରମଣ ବିରୁଦ୍ଧରେ ତାଇୱାନର ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବାକୁ ଏପରି ପ୍ରୟାସ ହେଉଛି। ଆମେରିକାର ସୈନ୍ୟବାହିନୀ ସ୍ବତନ୍ତ୍ର ଅପରେଶନ ଫୋର୍ସ ଏବଂ ୟୁଏସ ମେରାଇନ ଅନ୍ତର୍ଭୁକ୍ତ। ଗତ କିଛି ଦଶନ୍ଧି ମଧ୍ୟରେ ଆମେରିକା ତାଇୱାନରେ ଏହା ହେଉଛି ସର୍ବ ବୃହତ ସୈନ୍ୟ ମୁତୟନ।

ତାଇୱାନରେ ତାଲିମ ବ୍ୟତୀତ, ଆମେରିକାର ନ୍ୟାଶନାଲ ଗାର୍ଡ ଆମେରିକାର ଉତ୍ତର ମିସିଗାନରେ ତାଇୱାନ ସୈନ୍ୟମାନଙ୍କୁ ତାଲିମ ଦେଉଛନ୍ତି। ଏଥିରେ ଅନେକ ଦେଶ ସହିତ ବାର୍ଷିକ ସମରାଭ୍ୟାସ ମଧ୍ୟ ଅନ୍ତର୍ଭୁକ୍ତ। ୱାଲ ଷ୍ଟ୍ରିଟ ଜର୍ନାଲ ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ତାଇୱାନ ମଧ୍ୟରେ ଏହି ସାମରିକ ତାଲିମ ବୃଦ୍ଧି କରି ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ କୌଣସି ସମ୍ଭାବ୍ୟ ଚାଇନା ଆକ୍ରମଣ ବିରୋଧରେ ସାମରିକ ପ୍ରସ୍ତୁତିକୁ ସୁଦୃଢ଼ କରି ସହଯୋଗ ବୃଦ୍ଧି କରିବାକୁ ଚାହୁଁଛନ୍ତି।

ଆମେରିକାର ଅଧିକାରୀମାନେ ଦାବି କରିଛନ୍ତି ଯେ ଏହି ସମ୍ପ୍ରସାରଣ ବହୁ ପୂର୍ବରୁ ଯୋଜନା କରାଯାଇଥିଲା ଏବଂ ଗତ କିଛି ମାସ ମଧ୍ୟରେ ଚାଇନା ସହିତ ଖରାପ ସମ୍ପର୍କ ସହିତ ଏହାର କୌଣସି ସମ୍ପର୍କ ନାହିଁ।

Share