ଓ୍ବାଶିଂଟନ, ୨୧।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ରେ ଆମେରିକା ପୁନର୍ବାର ଯୋଗଦେବ ବୋଲି ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ଚାଇନା ଯେପରି ନିୟମ ଅନୁଯାୟୀ କାର୍ଯ୍ୟ କରିବ ସେଥିପାଇଁ ବ୍ୟବସ୍ଥା କରିବାକୁ ସେ ଚାହାନ୍ତି ବୋଲି କହିଛନ୍ତି। ଚାଇନାରେ କରୋନା ମହାମାରୀ ବ୍ୟାପିଥିଲେ ମଧ୍ୟ ଏ ସମ୍ପର୍କିତ ସୂଚନା ବିଶ୍ୱକୁ ଦେବାରେ ବିଫଳ ହୋଇଥିବା ଡବ୍ଲ୍ୟୁଏଚ୍ଓରୁ ଆମେରିକା ଓହରିଯିବ ବୋଲି ଗତ ଏପ୍ରିଲ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଘୋଷଣା କରିଥିଲେ।
ଚାଇନାକୁ ଦଣ୍ଡ ଦେବା ବଡ଼ କଥା ନୁହେଁ, ନିୟମ ଅନୁଯାୟୀ କାର୍ଯ୍ୟ କରିବା ସମ୍ପର୍କରେ ବେଜିଂ ଯେପରି ବୁଝିବ ତାହା ସୁନିଶ୍ଚିତ କରିବାକୁ ହେବ ବୋଲି ବାଇଡେନ୍ କହିଛନ୍ତି। ସେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ପ୍ରଥମ ଦିନରେ ଆମେରିକା ଡବ୍ଲ୍ୟୁଏଚ୍ଓରେ ସାମିଲ ହେବ। ତେବେ ଉକ୍ତ ସଂଗଠନରେ ସଂସ୍କାର ଆବଶ୍ୟକ ବୋଲି ବାଇଡେନ୍ ମତ ଦେଇଛନ୍ତି।