Categories: ଖେଳ

ୟୁନାଇଟେଡ୍‌ ୟୁଥ୍‌ ସ୍ପୋର୍ଟିଂ ୪-୩ରେ ବିଜୟୀ

ଭୁବନେଶ୍ୱର, ୧୦।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟବଲ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ୟୁନାଇଟେଡ ୟୁଥ୍‌ ସ୍ପୋର୍ଟିଂ ବିଜୟୀ ହୋଇଛି। ଏକଦା ୦-୩ ଗୋଲରେ ପଛୁଆ ରହିବା ସତ୍ତ୍ୱେ ଏହି ଦଳ ୪-୩ ଗୋଲରେ ମଦର୍ସ ଫୁଟବଲ କ୍ଲବକୁ ପରାସ୍ତ କରିଛି। ମ୍ୟାଚ ଆରମ୍ଭରେ ମଦର୍ସ ଦଳ ଚମତ୍କାର ଖେଳିଥିଲା। ୧ମ, ୯ମ ଓ ୧୫ଶ ମିନିଟରେ ରୋହିତ ସଇଶ, ସୁଶାନ୍ତ ବେହେରା ଓ ଜାନୋପ ସୋନମ ଗୋଟିଏ ଲେଖାଏ ଗୋଲ ଦେଇ ମସର୍ଦକୁ ୩-୦ରେ ଅଗ୍ରଣୀ କରାଇଥିଲେ। ଚାପର ବଶବର୍ତ୍ତୀ ହୋଇଥିବା ୟୁନାଇଟେଡ ସ୍ପୋର୍ଟିଂ ପକ୍ଷରୁ ଜଗନ୍ନାଥ ବାରିକ ୩୪ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଭିନ୍ନ ଖେଳ ଦେଖାଇଥିଲା ୟୁନାେଇଟଡ ସ୍ପୋର୍ଟିଂ। ୪୮ତମ ମିନିଟେjର ଅଭିଷେକ ପଢ଼ିଆରୀ, ୫୪ତମ ମିନିଟରେ ଟିପୁନା ରାଉତ ଗୋଟିଏ ଲେଖାଏ ଗୋଲ ଦେବାରୁ ମ୍ୟାଚ ୩-୩ ସ୍ଥିତିକୁ ଚାଲି ଆସିଥିଲା।

୬୬ତମ ମିନିଟରେ ବାପୁନି ବିନ୍ଧାଣୀ ସ୍କୋର କରିଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା। ଗୋଲ ପରିଶୋଧ କରିବାକୁ ମଦର୍ସ ଖେଳାଳିମାନେ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଆୟୋଜକ ଆସୋସିଏଶନର ଉପସଭାପତି ରାଧାନାଥ ମହାପାତ୍ର ଉପସ୍ଥିତ ରହି ୟୁନାଇଟେଡ ସ୍ପୋର୍ଟିଂର ବାପୁନି ବିନ୍ଧାଣୀଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ ପରିଚାଳନା କରିଥିଲେ ରାଜେନ୍ଦ୍ର ବାରିକ। ସୁଶାନ୍ତ ମିଶ୍ର ଓ ଆଲୋକ ଦେହୁରୀ ତାଙ୍କୁ ସହାୟତା କରିଥିଲେ। ଶିବ ସାମନ୍ତରାୟ ୪ର୍ଥ ରେଫରି ଥିଲେ। ଗୁରୁବାର ଆର୍ଡୋର ଫୁଟବଲ ଏକାଡେମୀ ସିନିୟର ଓ ଲିଙ୍ଗରାଜ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

 

Share