Categories: ଜାତୀୟ

ଗଣତାନ୍ତ୍ରିକ ମୂଲ୍ୟବୋଧରୁ ଏକତା

କୋଲକାତା,୧୩।୩ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆକ୍ରମଣାତ୍ମକ ଚାଇନାର ପ୍ରଭାବ ବଢ଼ୁଥିବାରୁ ମଏହାର ମୁକାବିଲା ପାଇଁ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି। ଏମାନେ ମିଶି ଚତୁଃରାଷ୍ଟ୍ରୀୟ ମେଣ୍ଟ (କ୍ୱାଡ୍‌) ଗଠନ କରିଛନ୍ତି। କ୍ୱାଡ୍‌ ନେତାମାନଙ୍କର ପ୍ରଥମ ଭର୍ଚୁଆଲ ସମିଟ୍‌ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ, ଯାହା ଚାଇନା ପାଇଁ ଶକ୍ତ ବାର୍ତ୍ତା ହୋଇଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁକ୍ତ, ଅବାଧ ଓ ସମ୍ମିଳିତ କରିବା ଲାଗି ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପ୍ରତିଶ୍ରୁତିବଦ୍ଧତା ଦ୍ୱାରା ଆମେ ଏକାଠି ହୋଇଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। ଏହି ଅବସରରେ ସେ ପ୍ରଥମ ଭର୍ଚୁଆଲ ସମିଟ୍‌ର ଆୟୋଜନ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ। ବସୁଧୈବ କୁଟୁମ୍ବକମ୍‌ ବା ସାରା ବିଶ୍ୱ ଏକ ପରିବାର ହେଉଛି ଭାରତର ପୁରାତନ ଦର୍ଶନ। ଧର୍ମନିରପେକ୍ଷ, ସ୍ଥାୟୀ ତଥା ସମୃଦ୍ଧ ଇଣ୍ଡୋ-ପାସିଫିକ୍‌କୁ ଆଗେଇ ନେବା ଲାଗି ଆମେ ମିଳିତ ଭାବେ ଉଦ୍ୟମ କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସହଯୋଗ ପାଇଁ କ୍ୱାଡ୍‌ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ହେବାକୁ ଯାଉଛି ଓ ଆଗାମୀ ଦିନରେ ସେ ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସହ ଘନିଷ୍ଠ ଭାବେ ଏକାଠି କାର୍ଯ୍ୟ କରିବେ ବୋଲି ଆମେରିକା ରାଷ୍ଟ୍ରପତି ବାଇଡେନ୍‌ କହିଥିଲେ। ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଉକ୍ତ ସମିଟ୍‌କୁ ଇଣ୍ଡୋ-ପାସିଫିକ୍‌ରେ ନୂତନ ସୂର୍ଯ୍ୟୋଦୟ ବୋଲି ବର୍ଣ୍ଣନା କରିଥିଲେ। ଆମେ ମହାମାରୀ ବିପଦରୁ ମୁକୁଳୁଥିବାବେଳେ ଭିନ୍ନ ଏକ ଭବିଷ୍ୟତ ଗଠନ ଲାଗି ମୋରିସନ୍‌ ଆହ୍ବାନ ଦେଇଥିଲେ। ଗତ କିଛି ବର୍ଷ ମଧ୍ୟରେ ଚତୁଃରାଷ୍ଟ୍ରୀୟ ମେଣ୍ଟକୁ ନୂଆ ଶକ୍ତି ମିଳିଛି। ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଏହା ପ୍ରୟାସ କରିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗା କହିଥିଲେ।
ସହ ଉତ୍ତେଜନା ବଢ଼ୁଥିବାବେଳେ ଚତୁଃରାଷ୍ଟ୍ରୀୟ ସମିଟ୍‌ର ଆୟୋଜନ କରାଯାଇଛି। ଦେଶଗୁଡ଼ିକ ମଧ୍ୟରେ ସହଯୋଗ କୌଣସି ତୃତୀୟ ପକ୍ଷକୁ ଟାର୍ଗେଟ କରିବାକୁ ନ ହୋଇ ପାରସ୍ପରିକ ବୁଝାମଣା ପ୍ରତି ଅବଦାନ ହେବା ଆବଶ୍ୟକ ବୋଲି ସମିଟ୍‌ ପୂର୍ବରୁ ଚାଇନା କହିଥିଲା। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶକ୍ତି ବୃଦ୍ଧି କରୁଥିବା ବେଜିଂ ଚତୁଃରାଷ୍ଟ୍ରୀୟ ମେଣ୍ଟକୁ ନେଇ ଚିନ୍ତାରେ ପଡ଼ିଯାଇଛି। ଏସିଆ ମହାଦେଶର ନାଟୋ କୁହାଯାଉଥିବା କ୍ୱାଡ୍‌ ୨୦୦୭ରେ ଗଠନ ହୋଇଥିଲେ ମଧ୍ୟ ଏହା ଆଗେଇ ପାରି ନ ଥିଲା। ୨୦୧୭ରେ ଏହା ପୁନର୍ଗଠିତ ହେବା ସହ ଭୂରଣନୀତିକ ମେଣ୍ଟକୁ ରୂପ ଦେବା ପାଇଁ ଗତ କିଛିବର୍ଷ ହେବ ନିୟମିତ ଆଲୋଚନା କରିଆସୁଛି। ଗତବର୍ଷ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ପ୍ରଥମ ଥର ଲାଗି ମାଲାବାର ନୌ-ସମରାଭ୍ୟାସରେ ଏକତ୍ର ହୋଇଥିଲେ।

Share