ଆସୁଛି କରୋନାର ‘ସୁପର ଭ୍ୟାକ୍ସିନ’

ଓ୍ବାଶିଂଟନ୍‌,୨୩।୬: କରୋନା ଭାଇରସ୍‌ ମହାମାରୀ ସମ୍ମୁଖୀନ ହୋଇଥିବା ବିଶ୍ୱ ଏବେ ଭିନ୍ନ ଭିନ୍ନ ଭାରିଆଣ୍ଟକୁ ନେଇ ଚିନ୍ତିତ ରହିଛି। ବିଭିନ୍ନ ଦେଶରେ କରୋନାର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଥିବା ବେଳେ ଏବେ ଏହା ଚିନ୍ତାର କାରଣ ପାଲଟିଛି। କିନ୍ତୁ ଏବେ ବୈଜ୍ଞାନିକ ଏଭଳି ଭାକ୍ସିନ ତିଆରି କରୁଛନ୍ତି, ଯାହା ସମସ୍ତ ଭାରିଆଣ୍ଟ ଉପରେ ପ୍ରଭାବଶାଳୀ ହେବ। ଏଥିସହ ଭବିଷ୍ୟତରେ ଏଭଳି ମହାମାରୀକୁ ରୋକିବାରେ ମଧ୍ୟ ସାହାଯ୍ୟ କରିବ। ସୁଚନା ମୁତାବକ ବୈଜ୍ଞାନିକମାନେ ଏକ ଏଭଳି ଭାକ୍ସିନ ତିଆରି କରିଛନ୍ତି, ଯାହା କୋଭିଡ-୧୯ ବ୍ୟତୀତ କରୋନା ଭାଇରସ୍‌ର ଅନ୍ୟ ସମସ୍ତ ଭାରିଆଣ୍ଟର ଉପରେ ପ୍ରଭାବଶାଳୀ ହେବ। ବର୍ତ୍ତମାନ ବୈଜ୍ଞାନିକମାନେ ଏହି ଭାକ୍ସିନକୁ ମୂଷା ଉପରେ ଟ୍ରାଏଲ୍‌ କରିଛନ୍ତି। ଆସନ୍ତା ବର୍ଷ ଏହା ମନୁଷ୍ୟ ଉପରେ ଟ୍ରାଏଲ୍‌ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆମେରିକାର ନର୍ଥ କାରୋଲିନା ୟୁନିଭର୍ସିଟିର ବୈଜ୍ଞାନିକମାନେ ଏବେଠାରୁ ଏହି ଭାକ୍ସିନ ଉପରେ ଗବେଷଣା କରିବା ଆରମ୍ଭ କରିଦେଇଛନ୍ତି। କାରଣ ପରବର୍ତ୍ତୀ ସମୟରେ କେଉଁ ଭାଇରସ୍‌ କେଉଁ ମହାମାରୀକୁ ଉତ୍ପନ୍ନ କରିବ ସେନେଇ କାହାକୁ ଜଣାନାହିଁ। ତେଣୁ ଏବେଠାରୁ ଆଗୁଆ ପ୍ରସ୍ତୁତି କରିବା ଉଚିତ୍‌ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଯଦି ସବୁ ଠିକ୍‌ଠାକ ରହେ ତେବେ ଏହି ସୁପର ଭାକ୍ସିନ କରୋନାର ତୃତୀୟ ମହାମାରୀ ପୂର୍ବରୁ ଦୁନିଆକୁ ଆସିଯିବ ବୋଲି ବୈଜ୍ଞାନିକଙ୍କ ଏକ ଟିମ୍‌ ସୂଚନା ଦେଇଛନ୍ତି। ।

Share