ଆଡ୍‌ମିଶନ ପାଇଁ ଯୁବତୀଙ୍କ ସହ ରାତି କାଟିବାକୁ ଅଫର ଦେଉଛି ଏହି ବିଶ୍ୱବିଦ୍ୟାଳୟ, ଜାଣିଲେ କରିବେ ନିନ୍ଦା

ବେଜିଂ,୧୦ା୬: ଚାଇନାର ଏକ ବିଶ୍ୱବିଦ୍ୟାଳୟ ଏବେ କଡ଼ା ବିବାଦର ସମ୍ମୁଖୀନ ହୋଇଛି। ଏହି ବିଶ୍ୱବିଦ୍ୟାଳୟ ଆଡ୍‌ମିଶନ ପାଇଁ ସୋସିଆଲ ମିଡିଆରେ ଏକ ବିଜ୍ଞାପନ ଦେଇଥିଲା। କିନ୍ତୁ ଏହି ବିଜ୍ଞାପନ ଦେଖି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ନାନଜିଙ୍ଗ୍‌ ବିଶ୍ୱବିଦ୍ୟାଳୟ କିଛି ଦିନ ତଳେ ଏହି ବିଜ୍ଞାପନକୁ ଚାଇନାର ପ୍ରସିଦ୍ଧ ସୋସିଆଲ ମିଡିଆ ଆପ୍‌ ଓ୍ବାଇବୁରେ ପୋଷ୍ଟ କରିଥିଲା। ଏହି ବିଜ୍ଞାପନରେ ୬ ଜଣ ଛାତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ଏହି ସମସ୍ତ ଛାତ୍ରୀ ଉକ୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି। ଏହି ଛାତ୍ରୀମାନଙ୍କ ହାତରେ ଏକ ସାଇନବୋର୍ଡ ଦେଖିବାକୁ ମିଳିଥିଲା। ଏମାନେ ବିଶ୍ୱବିଦ୍ୟାଳୟର ବିଭିନ୍ନ ସ୍ଥାନରେ ଠିଆ ହୋଇଛନ୍ତି। ଏହି ସମସ୍ତ ଫଟୋରେ ଦୁଇଟି ଫଟୋକୁ ଦେଖି ଲୋକେ ଚିହିଙ୍କି ଉଠିଥିଲେ। ଏଥିରେ ଗୋଟିଏ ଫଟୋରେ ଜଣେ ସୁନ୍ଦରୀ ଯୁବତୀ ହାତରେ ଏକ ସାଇନବୋର୍ଡ ଧରି ଠିଆ ହୋଇଛନ୍ତି। ଏଥିରେ ଲେଖାଅଛି କ’ଣ ଆପଣ ମୋ ସହ ଏହି ବିଶ୍ୱବିଦ୍ୟାଳୟର ଲାଇବ୍ରେରୀରେ ସକାଳୁ ରାତି ପର୍ଯ୍ୟନ୍ତ ସମୟ ବିତାଇବାକୁ ପସନ୍ଦ କରିବେ କି? ସେହିପରି ଅନ୍ୟ ଏକ ଫଟୋରେ ଜଣେ ଛାତ୍ରୀଙ୍କ ହାତରେ ଥିବା ସାଇନ୍‌ବୋର୍ଡକୁ ଦେଖି ଲୋକେ ରାଗି ଯାଇଛନ୍ତି। ଏଥିରେ ଲେଖାଥିଲା, କ’ଣ ଆପଣ ମୋତେ ଯୁବପିଢ଼ିଙ୍କ ଅଂଶ କରିବାକୁ ଚାହଁୁଛନ୍ତି କି? ଏହି ଦୁଇଟି ଫଟୋ ସାମ୍ନାକୁ ଆସିବାରୁ ସ୍ଥାନୀୟ ଲୋକେ ପ୍ରବଳ ଗଣ୍ଡଗୋଳ କରିଥିଲେ।

ସୋସିଆଲ ମିଡିଆରେ ଏନେଇ ବିବାଦ ବଢ଼ିବାରେ ଲାଗିଥିଲା। ପରେ ଏହି ବିଜ୍ଞାପନକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଲିଟ୍‌ କରି ଦିଆଯାଇଛି। କିଛି ଲୋକ କହିଛନ୍ତି, ବିଜ୍ଞାପନକୁ ନେଇ ଏତେ ଗମ୍ଭୀର ହେବା ଦରକାର ନ ଥିଲା। ଆଉ କିଛି ଲୋକ ପୂରା ବିଶ୍ୱବିଦ୍ୟାଳୟର ଏପରି ବିଜ୍ଞାପନକୁ ନାପସନ୍ଦ କରିଛନ୍ତି।

Share