Categories: ଜାତୀୟ

‘ଏହା ଅନ୍ୟାୟ, ଏନ୍‌ସିବି ଫସାଇବାକୁ ଚେଷ୍ଟା କରୁଛି’

ମୁମ୍ବାଇ,୨୩।୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଏଥିରେ ତାଙ୍କ ଓକିଲ ଦର୍ଶାଇଛନ୍ତି ଯେ, ଆର୍ଯ୍ୟନଙ୍କ ହ୍ବାଟ୍ସଆପ୍‌ ଚାଟ୍‌କୁ ଏନ୍‌ସିବି ଭୁଲ ବାଖ୍ୟା କରୁଛି। କ୍ରୁଜ ଯାହାଜରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଫସାଇବାକୁ ଚେଷ୍ଟା କରୁଛି।

ଆର୍ଯ୍ୟନ ଏବେ ଜେଲରେ ଅଛନ୍ତି। ସ୍ବତନ୍ତ୍ର କୋର୍ଟ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ଓକିଲ। ଏହି ମାମଲାରେ ବମ୍ବେ ହାଇକୋର୍ଟ ଆସନ୍ତା ୨୬ ତାରିଖରେ ଶୁଣାଣି କରିବେ।

ସ୍ବତନ୍ତ୍ର କୋର୍ଟଙ୍କ ରାୟ ବିରୋଧରେ ହାଇକୋର୍ଟରେ କରିଥିବା ଆବେଦନରେ ଆର୍ଯ୍ୟନ କହିଛନ୍ତି, ଫୋନରୁ ମିଳିଥିବା ହ୍ବାଟ୍ସଆପ୍‌ ଚାଟକୁ ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଭୁଲ ବାଖ୍ୟା କରୁଛି। ଏହା ଅନ୍ୟାୟ।

ଏଥିରେ ୨୩ ବର୍ଷୀୟ ଆର୍ଯ୍ୟନ ଦର୍ଶାଇଛନ୍ତି, କ୍ରୁଜ୍‌ ଯାହାଜରେ ଏନ୍‌ସିବି ଅଧିକାରୀଙ୍କ ଚଢ଼ାଉ ବେଳେ ତାଙ୍କ ନିକଟରୁ କୌଣସି ଡ୍ରଗ୍ସ ଜବତ ହୋଇ ନ ଥିଲା। ଆଉ ଏହି ମାମଲାରେ ଗିରଫ ହୋଇଥିବା ଅର୍ବାଜ ମର୍ଚାଣ୍ଟ ଓ ଅଚିତ୍‌ କୁମାରଙ୍କ ବ୍ୟତୀତ ଅନ୍ୟ କାହାକୁ ସେ ଜାଣି ନାହାନ୍ତି। ଉଲ୍ଲେଖଯୋଗ୍ୟ, ଏପର୍ଯ୍ୟନ୍ତ କ୍ରୁଜ ଯାହାଜରେ ଡ୍ରଗ୍ସ ଜବତ ମାମଲାରେ ଏନ୍‌ସିବି ୨୦ ଜଣଙ୍କୁ ଗିରଫ କରିସାରିଛି।

Share