Categories: ଜାତୀୟ

ଭାଜପା ଏମ୍‌ପିଙ୍କୁ ହତ୍ୟା ଧମକ

ଉନ୍ନାଓ,୧୧।୮: ଉତ୍ତରପ୍ରଦେଶ ଉନ୍ନାଓର ଭାଜପା ଏମ୍‌ପି ସାକ୍ଷୀ ମହାରାଜଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ଆଉ ଏହି ଧମକ ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଥିବା କୁହାଯାଇଛି। କାରଣ ଯେଉଁ ନମ୍ବରରୁ ତାଙ୍କୁ ଫୋନ କରାଯାଇଛି ସେହି ନମ୍ବର ପାକିସ୍ତାନର। ଏନେଇ ସାକ୍ଷୀ ମହାରାଜ ଉନ୍ନାଓ ଏସ୍‌ପିଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଏମ୍‌ପିଙ୍କ କହିବା ଅନୁସାରେ ସୋମବାର ଅପରାହ୍ନ ୪ଟା ୨୪ ମିନିଟ୍‌ ଓ ପୁଣିଥରେ ୪ଟା ୨୬ ମିନିଟ୍‌ରେ ତାଙ୍କୁ ପାକିସ୍ତାନର ଏକ ନମ୍ବରରୁ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଜଣଙ୍କ ସାକ୍ଷୀ ମହାରାଜଙ୍କ ଘରକୁ ବୋମାରେ ଉଡାଇଦେବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏଥିସହ ଧମକ ଦେଇଥିବା ବ୍ୟକ୍ତି ଜଣଙ୍କ ଭାଜପା ଓ ଆରଏସ୍‌ଏସ୍‌ର କେତେକ ନେତାଙ୍କୁ ମଧ୍ୟ ଟାର୍ଗେଟ କରିଥିବା ସାକ୍ଷୀ ମହାରାଜ କହିଛନ୍ତି। ଏନେଇ ସେ କୋତଓ୍ବାଲି ପୋଲିସ ଷ୍ଟେସନରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏକ ରିପୋର୍ଟ ଲେଖାଇଛନ୍ତି। ସୂଚନାଯୋଗ୍ୟ, ଏହା ପ୍ରଥମ ଥର ନୁହେଁ ଯେଉଁଠାରେ ସାକ୍ଷୀ ମହାରାଜଙ୍କୁ ହତ୍ୟା ଧମକ ମିଳିଛି, ଏହା ପୂର୍ବରୁ ୨୦୧୭ ଓ ୨୦୧୮ରେ ବି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା।

Share