ଅନିଶ୍ଚିତତା ମଧ୍ୟରେ ଅଣସଂଗଠିତ ଶ୍ରମିକଙ୍କ ଭାଗ୍ୟ

ପାରାଦୀପ,୧।୫(ସ୍ବ.ପ୍ର.): ଭାରତ ସମେତ ସମଗ୍ର ବିଶ୍ୱରେ ସୋମବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ ହେବ। ଏହିକ୍ରମରେ ଓଡ଼ିଶାର ପ୍ରମୁଖ ବନ୍ଦରଭିତ୍ତିକ ପାରାଦୀପ ଶିଳ୍ପାଞ୍ଚଳରେ ମଧ୍ୟ ଏକାଧିକ ଶ୍ରମିକ ସଂଗଠନ ପକ୍ଷରୁ ଶ୍ରମିକ ଦିବସ ପାଳନ କରିବା ନିମନ୍ତେ ପ୍ରସ୍ତୁତି ଚାଲିଛି। କିନ୍ତୁ ୨୦୨୦ ପୂର୍ବରୁ ଯେପରି ଆକର୍ଷଣୀୟ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିଲା, ସେପରି ଏବେ ହେଉନାହିଁ। ଏହାର କାରଣ ଅନେକ ରହିଛି। ସେଥିରୁ ପ୍ରମୁଖ ହେଉଛି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରମ ଆଇନରେ ସଂସ୍କାର। ଏହା ଅଣାଯିବା ପରେ ଶ୍ରମିକ ସଙ୍ଗଠନଗୁଡ଼ିକର ଆଉ ସେତେ ଗୁରୁତ୍ୱ ନାହିଁ ବୋଲି ଅନେକ ଶ୍ରମିକନେତା କହିଛନ୍ତି। ସେମାନେ ପୂର୍ବଭଳି ମାଲିକ କିମ୍ବା ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାଗୁଡିକ ଆଗରେ ଶ୍ରମିକର ହକ୍‌ ମାଗିପାରୁ ନାହାନ୍ତି। ଏବେ ୪ ଲେବର କୋଡ୍‌ ମଧ୍ୟରେ ଏହି ଆଇନ ସୀମିତ ହୋଇଯାଇଛି। ଦେଶର ସମୁଦାୟ ଶ୍ରମିକସମାଜ ମଧ୍ୟରେ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ସଂଖ୍ୟା ମାତ୍ର ୭%। ଅବଶିଷ୍ଟ ୯୩% ଅଣସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି। ଯେଉଁଠି ଜଣେ ଶ୍ରମିକ ବର୍ଷକୁ ୨୪୦ ଦିନରୁ ଅଧିକ କାମ କରିଥା’ନ୍ତି, ସେମାନଙ୍କୁ ସ୍ଥାୟୀ ଶ୍ରମିକ ଭଳି ସୁବିଧା ସୁଯୋଗ ମିଳିବା କଥା। କିନ୍ତୁ ଅନେକ ଉଦ୍ୟୋଗ ଠିକା ସଂସ୍ଥା ଜରିଆରେ ଶ୍ରମିକ ନିୟୋଜିତ କରୁଥିବାରୁ ତାହା ଆଉ ହିସାବକୁ ନିଆଯାଉ ନାହିଁ। ସେ କ୍ଷେତ୍ରରେ ଶ୍ରମିକ ସଂଘଗୁଡ଼ିକ ଆଉ ସ୍ବର ଉଠେଇ ପାରୁନାହାନ୍ତି ବୋଲି ପୋର୍ଟ ଶ୍ରମିକ ସଂଘର ସଭାପତି ରାମଶଙ୍କର କହିଛନ୍ତି।
୧୯୯୧ ଜୁନ୍‌ ୨୪ରେ ତତ୍କାଳୀନ ସରକାର ଆର୍ଥିକ ସଂସ୍କାର ଆଣିଥିଲେ। ତା’ପରଠାରୁ ଶ୍ରମିକ ଆଉ ସ୍ଥାୟୀ ନିଯୁକ୍ତି ପାଉନାହାନ୍ତି। ଯାହା କିଛି ଅଳ୍ପ ନିଯୁକ୍ତି ମିଳୁଥିଲା, ତାହା ୨୦୦୪ ସେପ୍ଟେମ୍ବର ପରଠାରୁ ବନ୍ଦ କହିଲେ ଚଳେ। ଜଗତୀକରଣ, ଉଦାରୀକରଣ, ଘରୋଇକରଣ ନୀତିରେ ସରକାର ଅନେକ ସରକାରୀ ଉଦ୍ୟୋଗଗୁଡ଼ିକୁ ପୁଞ୍ଜପତିଙ୍କ ହାତରେ ଟେକି ଦେଉଛନ୍ତି ବୋଲି ଶ୍ରମିକନେତା ନନ୍ଦଲାଲ ସିଂହ କୁହନ୍ତି। କାର୍ଯ୍ୟ କ୍ଷେତ୍ରରେ ଶ୍ରମିକଶ୍ରେଣୀ ୨୪ ଘଣ୍ଟା କାମ କରିଥାଆନ୍ତି। ଏହାକୁ ୩ଟି ସିଫ୍ଟରେ କରାଯାଉଥିଲା। ଏବେ ମାଲିକମାନେ ୮ ଘଣ୍ଟା କର୍ମ ଦିବସକୁ ପାଳନ କରୁନାହାନ୍ତି ବୋଲି ଏଚ୍‌ଏମ୍‌ଏସ୍‌ର ଶ୍ରମିକ ନେତା ନୃସିଂହ ଶତପଥୀ କୁହନ୍ତି। ଶ୍ରମିକଙ୍କ ଭାଗ୍ୟ ପୁଣି ଗୋତି ପ୍ରଥା ଆଡ଼କୁ ଗତି କରିବାରେ ଲାଗିଛି। ଏପରି ଧାରା ବଳବତ୍ତର ରହିଲେ ଆଗାମୀ ଦିନରେ ଦେଶରେ ଶ୍ରମ ଆନ୍ଦୋଳନ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।