ନୂଆଦିଲ୍ଲୀ,୧୫।୭: ଲୋକ ସଭା ସେକ୍ରେଟାରିଏଟ୍ ପକ୍ଷରୁ କେତେକ ଶବ୍ଦକୁ ‘ଅସଂସଦୀୟ’ ଦର୍ଶାଇ ସେଗୁଡ଼ିକ ଉପରେ କଟକଣା ଜାରି କରାଯାଇଥିବାବେଳେ ଉକ୍ତ ବୁକ୍ଲେଟ୍କୁ ନେଇ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପି ମହୁଆ ମୋଇତ୍ର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପଶ୍ଚିମବଙ୍ଗର କ୍ରିଷ୍ଣାନଗର ଏମ୍ପି ମହୁଆ ଏନେଇ ଟୁଇଟ୍ କରି ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡ଼ନ ମାମଲାର ଅବତାରଣା କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି, ଅସଂସଦୀୟ ଶବ୍ଦ ‘ଯୌନ ଉତ୍ପୀଡ଼ନ’କୁ ହଟାଇ ସେହି ସ୍ଥାନରେ ‘ମିଷ୍ଟର ଗୋଗୋଇ’ ରଖାଯାଉ। ଏହି ତାଲିକାରେ ସଂଘୀ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ କର୍ମକର୍ତ୍ତା) ଶବ୍ଦକୁ କାହିଁକି ସ୍ଥାନିତ କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।