ଅପ୍ରିୟ ସତ୍ୟ ଓ ଉପସ୍ଥିତ ବୁଦ୍ଧି

ନାରାୟଣ ମିଶ୍ର

 

ସତ କହିବା ଆଉ ଶୁଣାଯାଉନାହିଁ। ଘରେ ଥାଇ ବି ମୋବାଇଲ୍‌ରେ କୁହାଯାଉଛି- ଭାଇ ଗାଡ଼ି ଚଳାଉଛି, ଟିକେ ପରେ ଫୋନ୍‌ କର। କୋର୍ଟ କଚେରିରେ ଗୀତା ଛୁଇଁ ଡାହା ମିଛ କହିବା ଆଇନ ଏବେ ବି ବଳବତ୍ତର ଅଛି। ତେଣୁ ସତ ପ୍ରାୟ ହଜିଗଲାଣି। ଚାରିଲିଟର ପାଣିରେ ଲିଟରଟାଏ କ୍ଷୀର ମିଶାଇ ଗୋପାଳବାବୁ ଖାଣ୍ଟି କ୍ଷୀର କହି ବିକ୍ରି କରି ଚାଲିଛନ୍ତି। ଅବସ୍ଥା ଏପରି ହେଲାଣି ଯେ ଜଣେ ସତକଥା କହୁଥିଲେ ବି ଆମକୁ ମିଛପରି ଲାଗୁଛି। ସତଟାକୁ ବ୍ୟଙ୍ଗାତ୍ମକ ସମାଲୋଚନା ଭାବି ଏହାକୁ ଆତ୍ମସମ୍ମାନ ଦୃଷ୍ଟିରୁ ଅପ୍ରିୟସତ୍ୟ ଆଖ୍ୟା ଦେଇ ଏଡାଇ ଯିବାକୁ ପଡୁଛି। ବେଳେ ବେଳେ ସତ କହିଲେ ଗୋ ହତ୍ୟା ଓ ମିଛ କହିଲେ ବ୍ରହ୍ମହତ୍ୟା ଦୋଷ ହେବ ଭାବି ମଣିଷ ତ୍ରିଶଙ୍କୁ ଅବସ୍ଥାରେ ପଡିଯାଉଛି। ଥରେ ଗୋଟିଏ ଜଳ ଜାହାଜରେ ଯାତ୍ରା କରୁଥିବା କ୍ୟାପ୍‌ଟେନ ଜାହାଜରେ ଥିବା ଅଭିିଯୋଗ ଲେଖାଯାଉଥିବା ବହିରେ ଲେଖିଲେ ଯେ ନିର୍ଦ୍ଦିଷ୍ଟ ନାବିକ ପିଲାଟି ଗତ ରାତିରେ ମଦ ପିଇଛି। ଜାହାଜର ମାଲିକ ପ୍ରତି ପନ୍ଦର ଦିନରେ ଅଭିଯୋଗ ଖାତା ପଢ଼ନ୍ତି ଓ ଦୋଷ ଦେଖି ଶାରୀରିକ ବା ଅର୍ଥଦଣ୍ଡ ଦିଅନ୍ତି। ନାବିକ ପିଲାଟି ତା’ ନାଁରେ ଅଭିଯୋଗ ଲେଖାଥିବା ଦେଖି କ୍ୟାପ୍‌ଟେନଙ୍କ ପାଖକୁ ଯାଇ ଅନୁରୋଧ କଲା ସେ ଅଭିଯୋଗଟି କାଟିଦେବା ପାଇଁ ଏବଂ ପୁଣି କହିଲା ଯଦି ନ କାଟିବେ, ତେବେ ‘ଗତ ରାତିରେ’ ପୂର୍ବରୁ ‘କେବଳ’ ଶବ୍ଦଟି ଯୋଡ଼ି ଦିଅନ୍ତୁ। କ୍ୟାପ୍‌ଟେନ୍‌ କହିଲେ ମୁଁ ସତ ହିଁ ଲେଖିଛି, ତେଣୁ ବଦଳେଇବି ନାହିଁ। ମନ ଦୁଃଖରେ ଫେରି ନାବିକ ପିଲାଟି ବହୁ ଚିନ୍ତା କରି ସେଇ ଅଭିଯୋଗ ବହିରେ ଲେଖିଦେଲା ‘କ୍ୟାପ୍‌ଟେନ ଆଜି ରାତିରେ ମଦ ପିଇନାହାନ୍ତି।’ କ୍ୟାପ୍‌ଟେନ ଅଭିଯୋଗ ପଢ଼ି ନାବିକ ପିଲାକୁ କହିଲେ- ‘ତୁ ଯାହା ଲେଖିଛୁ ସତ, କିନ୍ତୁ ୟା’ର ଅର୍ଥ ମୁଁ ସବୁଦିନ ମଦ ପିଏ, ତେଣୁ ତୁ ରାତିରେ ଶବ୍ଦ ପରେ ‘ମଧ୍ୟ’ ଶବ୍ଦଟିଏ ଯୋଗ କରିଦେ, ତେଣୁ ୟା’ର ଅର୍ଥ ହୋଇଯିବ କ୍ୟାପ୍‌ଟେନ ଆଜି ରାତିରେ ମଧ୍ୟ ମଦ ପିଇନାହାନ୍ତି। କିନ୍ତୁ ନାବିକ ପିଲାଟି କ୍ୟାପ୍‌ଟେନଙ୍କ ଭାଷା ଅନୁକରଣ କରି କହିଲା- ମୁଁ ସତ ଲେଖିଛି, ତେଣୁ ବଦଳେଇବି ନାହିଁ। ତା’ ପରେ ଉଭୟ ସେମାନଙ୍କ ଅଭିଯୋଗ ଦ୍ୱୟ ଅଭିଯୋଗ ବହିରୁ କାଟି ଉଡାଇଦେଲେ। ତେଣୁ ସତ୍ୟ ହେଲେ ବି ଅପ୍ରିୟ ସତ୍ୟକୁ ସମ୍ଭାଳି ହୁଏନି। ଆଉ ଏକ ଘଟଣାକ୍ରମେ ଗୋଟାଏ ଡକାୟତ ପୋଲିସମାନଙ୍କଠାରୁ ରକ୍ଷା ପାଇବାକୁ ନିକଟସ୍ଥ ଏକ ଆଶ୍ରମ ଭିତରକୁ ଯାଇ ଲୁଚିଗଲା। ଏକଥା ଆଶ୍ରମରେ ରହୁଥିବା ଋଷି ଜଣକ ଦେଖିଛନ୍ତି। ସଙ୍ଗେସଙ୍ଗେ ପୋଲିସ ଦଳ ସେଠାରେ ପହଞ୍ଚତ୍ ମୁନିଙ୍କୁ ପଚାରିଲେ- ହେ ଭଗବାନ, ଆପଣ ମିଛ କୁହନ୍ତି ନାହିଁ ବୋଲି ଆମେ ଜାଣୁ। ତେଣୁ କୁହନ୍ତୁ। ଏଇ କିଛିକ୍ଷଣ ପୂର୍ବରୁ ଜଣେ ଡକାୟତ ଆଶ୍ରମ ଭିତରକୁ ପଶି ଆସିବାର ଆପଣ ଜାଣନ୍ତି କି ? ଋଷି କହିଲେ-ଯିଏ ଦେଖିଛି, ସିଏ କହିପାରିବ ନାହିଁ ଆଉ ଯିଏ କହିପାରିବ ତା’ର ଦୃଷ୍ଟିଶକ୍ତି ନାହିଁ। ଅର୍ଥାତ୍‌ ଆଖି ଦେଖିଛି କିନ୍ତୁ ଆଖିର ବାକ୍‌ଶକ୍ତି ନାହିଁ ଏବଂ ପାଟିର ବାକ୍‌ଶକ୍ତି ଅଛି କିନ୍ତୁ ଦେଖିପାରିବା କ୍ଷମତା ନାହିଁ। ଋଷିଙ୍କର କଥା ଚାତୁରି ଡକାୟତକୁ ରକ୍ଷା କରିଦେଲା ସତ, କିନ୍ତୁ ସତକୁ ଅପ୍ରିୟ ନ କରି ବୁଦ୍ଧି ପ୍ରୟୋଗ କରିବା ଦ୍ୱାରା ପୋଲିସ ଦଳ କିଛି ନ ବୁଝି ଋଷିଙ୍କୁ ବଦ୍ଧପାଗଳ ଭାବି ଫେରିଗଲେ।
ରାଜା ବିକ୍ରମାଦିତ୍ୟ ଥରେ ଖବର ପାଇଲେ ଯେ ତାଙ୍କର ଶ୍ରେଷ୍ଠ ପଣ୍ଡିତ କାଳିଦାସ ବାରମ୍ବାର ଜଣେ ସୁନ୍ଦରୀ ବେଶ୍ୟା ଘରକୁ ଯିବା ଆସିବା କରୁଛନ୍ତି। ରାଜାଙ୍କୁ ଏହା ଭଲ ଲାଗିଲା ନାହିଁ। କାଳିଦାସଙ୍କୁ ପନ୍ଦର ଦିନ ପରେ ବସିବାକୁ ଯାଉଥିବା ରାଜସଭାରେ ଅପଦସ୍ଥ କରିବାକୁ ରାଜା ଗୋଟିଏ ଉପାୟ ଚିନ୍ତା କଲେ। ବେଶ୍ୟାକୁ ଟିକେ ଅଧିକା ଟଙ୍କା ଦେଇ କହିଲେ, ତୁ ଏବେ କାଳିଦାସ ଆସିଲେ ତାଙ୍କୁ ଲଣ୍ଡା ହୋଇ ଆସିଲେ ହିଁ ମିଶିବାକୁ ଦେବି ବୋଲି କହିବୁ। ବେଶ୍ୟା ରାଜି ହୋଇ କାଳିଦାସଙ୍କୁ କହିବା ମାତ୍ରେ ସେ ରାଜି ହୋଇ ଲଣ୍ଡା ହୋଇଗଲେ। କିନ୍ତୁ ଲଣ୍ଡା ହେବା ବୁଦ୍ଧି ରାଜାଙ୍କର ବୋଲି କାଳିଦାସ ଅନୁମାନ କରିନେଲେ। କାଳିଦାସ ତା’ପରଦିନ ଗୈରିକ ବସନ ପିନ୍ଧି ସନ୍ଧ୍ୟାରେ ରାଣୀ ଉଆସକୁ ଗଲେ। ମୁହଁକୁ ଅଧା ଘୋଡାଯାଇଛି, ଗୈରିକ ବସନ ଓ ମୁଣ୍ଡରେ କେଶ ନାହିଁ- ଏସବୁ ଦେଖି ରାଣୀ ହଠାତ୍‌ ଚିହ୍ନିପାରିଲେ ନାହିଁ। କାଳିଦାସ କହିଲେ- ମୁଁ ଆପଣଙ୍କ ବାପଘର ଗାଁର ଜଣେ ବିଖ୍ୟାତ ଜ୍ୟୋତିଷ, ରାଜାଙ୍କର ଏକ ରିଷ୍ଟ ପଡିଛି। ତେଣୁ ପନ୍ଦରଦିନ ମଧ୍ୟରେ ତା’ର ପ୍ରତିକାର ନ କଲେ ରାଜା ମୃତ୍ୟୁମୁଖରେ ପଡିପାରନ୍ତି। ରାଣୀ ବିଚଳିତ ହୋଇ ପ୍ରତିକାର କ’ଣ ପଚାରିବାରୁ କାଳିଦାସ କହିଲେ- ଥରେ ମାତ୍ର ରାଜାଙ୍କୁ ରାତ୍ରିର ନିର୍ଜନ ପ୍ରହରରେ ଆପଣଙ୍କ ଶୟନ କକ୍ଷରେ ଘୋଡାପରି ଆଣ୍ଠେଇ ଆପଣ ତାଙ୍କ ଉପରେ ବସିବେ। ଚାରି ପାଞ୍ଚ ହାତ ଏଇଭଳି ଚାଲିବା ବେଳେ ରାଜାଙ୍କୁ କହିବେ ସେ ଘୋଡାପରି ହଁୀ ହଁୀ ଶବ୍ଦ କରିବେ। ବାସ୍‌, ଏତିକିରେ ରିଷ୍ଟ କଟିଯିବ। ରାଣୀ ରାଜି ହେଲେ ଓ ପରଦିନ ରାତିରେ ସେତକ ବି କରାଇନେଲେ।
ରାଜସଭା ବସିବା ପରେ କାଳିଦାସଙ୍କୁ ଦେଖି ରାଜା କହିଲେ- ‘କେବଣ ତୀର୍ଥେ ଲଣ୍ଡିତ ମୁଣ୍ଡଂ?’ କାଳିଦାସ କହିଲେ- ‘ଯେବଣ ତୀର୍ଥେ ହଁୀ ହଁୀ ତୁଣ୍ଡଂ।’ ରାଜା ବୁଝିପାରିଲେ ନାହିଁ, କାରଣ ତାଙ୍କର ଘୋଡା ଭଳି ହୋଇ ହଁୀ  ହଁୀ ଶବ୍ଦ କରିବା କଥା କାଳିଦାସଙ୍କର ଜାଣିବାର ବାଟ ନାହିଁ ବୋଲି ରାଜା ଭାବୁଥାନ୍ତି। ତା’ପରେ ପୁଣି ରାଜା କହିଲେ – ‘କିଂ କୁର୍ବନ୍ତି ନ କୁର୍ବନ୍ତି କାମିନୀ ବଶବା ନରାଃ ! କାଳିଦାସ କହିଲେ- ଯଥା ରାତ୍ରେ ନିର୍ଜନେ ଚ ଘୋଟକ କାମିନୀ ଆୟତ୍ତେ। ଏସବୁ ସତ୍ୟ, କିନ୍ତୁ ଅପ୍ରିୟ ହେଲେ ବି ଉପସ୍ଥିତ ବୁଦ୍ଧି କାହାରିକୁ ଅପଦସ୍ଥ କରିପାରିଲା ନାହିଁ।
ସତ୍ୟକୁ ପ୍ରିୟ କରିବାକୁ ଚେଷ୍ଟା କଲେ ଆମେ ତାକୁ ତେଲମାଲିସ କହୁ। ଆମଠାରୁ ବାରମ୍ବାର ସାହାଯ୍ୟ ନେଇ ଉପକୃତ ହୋଇଥିବା ବ୍ୟକ୍ତି ଜଣକ କେବେ ବି ଚାହେଁ ନାହିଁ ଯେ ଅନ୍ୟମାନେ ଏକଥା ଜାଣନ୍ତୁ। ଯଦି ପାନ ଦୋକାନୀ ଆମେ ତା’ଠାରୁ ବାକି ଖାଉଥିବା କଥା ଅନ୍ୟ ଆଗରେ ଗପୁଛି ବୋଲି ଆମେ ଶୁଣୁ, ତତ୍‌କ୍ଷଣାତ ଆମେ ପାନଦୋକାନୀ ପାଖକୁ ଯାଇ କହୁ- ”ଭାଇ, ମୁଁ ଆଉ ତୁମ ଦୋକାନକୁ ଆସିବି ନାହିଁ। ଯେଉଁମାନଙ୍କ ଆଗରେ ମୁଁ ବାକି ନେବା କଥା ଗପୁଛ, ସେଇମାନଙ୍କଠାରୁ ମୋ ବାକି ଟଙ୍କା ଆଦାୟ କର।“ ନ ମାଗିଲେ ମନକୁ ମନ କେବେ ବି ଆମେ ବାକି ଶୁଝୁନୁ। ଆଉ ମାଗି ମାଗି ଥକିବା ପରେ ଥରେ ଅଧେ ପାଟିରୁ ବାକି କଥା ଅନ୍ୟ ଆଗରେ ବାହାରିଗଲେ ବାକି ଖାଉଥିବା ଗରାକେଶ୍ୱର ରାଗି ଅନ୍ୟଆଡେ ଚାଲି ଯାଉଛନ୍ତି- ତେବେ ଉପାୟ କ’ଣ ? ଉପାୟ ଅଛି, ଆଉ ତା’ ହେଲା ବାକ୍‌ ସଂଯମତା- ବୁଦ୍ଧି ପ୍ରୟୋଗ କରି ସତ କହିବା, କିନ୍ତୁ ଅପ୍ରିୟ ସତ୍ୟକୁ ଅନ୍ୟକୁ ନ ବାଧିବା ଭଳି ବଦଳେଇ କହିବା-ଏତକ ନ କରିପାରିଲେ, ଚୁପ୍‌ ରହିବା!
ମୋ:୯୯୩୭୪୪୬୩୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ...

Dillip Cherian

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ...

ଗୃହ ସଞ୍ଚୟର ଆର୍ଥିକୀକରଣ

ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri