ପ୍ରଦୀପ-ପାଠକ ପରିବାର ଗୁମର ଖୋଲିଲେ ପିଟର

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ଟାଟା ମୋଟର୍ସ କମ୍ପାନୀରେ ଚାକିରି ଦେବା ଆଳରେ ଠକେଇ କରି ଜେଲ ଯାଇଥିବା ଆକାଶ ପାଠକଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଡେଭିଡ୍‌ ପିଟରଙ୍କୁ ୩ଦିନ ଧରି ମାରାଥନ ଜେରା ଚାଲିଛି। ପୁଣେରୁ ଉଠାଇ ଆଣି ଭୁବନେଶ୍ୱରର ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଛି ଭିଜିଲାନ୍ସ। ଏଥିସହ ଆୟ ବହିର୍ଭୂତ ସମ୍ପତ୍ତି ଓ ଠକେଇ ମାମଲାରେ ଜେଲ୍‌ରେ ଥିବା ବାପା ନିଲମ୍ବିତ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କ୍‌ ରହିଥିବାରୁ ତଦନ୍ତରେ କମିଶନରେଟ ପୋଲିସ ଓ ଅନ୍ୟ ତଦନ୍ତକାରୀ ଟିମ୍‌ ମଧ୍ୟ ସାମିଲ ରହିଛି। ଜେରାବେଳେ ପାଠକ ଓ ପ୍ରଦୀପଙ୍କ ପରିବାରର ଭିତିରି ଗୁମର ଖୋଲିଛନ୍ତି ପିଟର। ପୁଣେସ୍ଥିତ ଫାର୍ମ ହାଉସ୍‌କୁ ଦୁଇ ପରିବାର ସଦସ୍ୟଙ୍କ ସମେତ ଅନ୍ୟ କେଉଁମାନେ ଯାଉଥିଲେ, ସେମାନଙ୍କ କଳାକାର୍‌ନାମାରେ କେଉଁମାନେ ସାମିଲ୍‌ ଅଛନ୍ତି, ତାହା ଜାଣିବାକୁ ପିଟରଙ୍କୁ ଭିଜିଲାନ୍ସ ପକ୍ଷରୁ ନାନା ପ୍ରଶ୍ନ କରାଯାଇଥିଲା। ତେବେ ତାଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିଲେ ମଧ୍ୟ ତଦନ୍ତରେ ବାଧାସୃଷ୍ଟି ଆଶଙ୍କାରେ ଭିଜିଲାନ୍ସ ସୂଚନା ଦେବାକୁ ଉଚିତ ମଣିନି। ତେବେ ଅଭୟକାନ୍ତ ଓ ପୁଅ ଆକାଶଙ୍କ କଳାକାର୍‌ନାମାର ଅଧିକରୁ ଅଧିକ ପ୍ରମାଣ ପାଇବା ପାଇଁ ଓଡ଼ିଶା ବାହାରେ ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍‌ ତଦନ୍ତ ଜାରି ରଖିଛି। ବିହାର ପାଟଣାରେ ପାଠକ ବାପ ପୁଅଙ୍କ ଘର ସମେତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଟିମ ୨ ଦିନ ଧରି ଯାଞ୍ଚ ଚଳାଇଛି। ସେପଟେ ଟାଟା ନଁାରେ ଠକେଇ ଓ ଜାଲିଆତି ନେଇ ଗୋପଳପୁର ବିଧାୟକ ପ୍ରଦୀପ ପାଣିଗ୍ରହୀଙ୍କ ନାମରେ ବ୍ରହ୍ମପୁର ଅଞ୍ଚଳରେ ଅଭିଯୋଗ ସଂଖ୍ୟା ବଢିବାରେ ଲାଗିଛି। ଗତ ୬ ମାସ ମଧ୍ୟରେ ତାଙ୍କ ଆକାଉଣ୍ଟରେ କାରବାର ହୋଇଥିବା ୨.୪୮ କୋଟି ଟଙ୍କାର ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ (ଇଡି) ଖାଳତାଡ଼ ଚଳାଇଛି। ଇତି ମଧ୍ୟରେ ନିର୍ଦ୍ଦିଷ୍ଟ ଭାବେ ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ କରିଥିବା ନିର୍ଦ୍ଦିଷ୍ଟ ସଂସ୍ଥାକୁ ତଦନ୍ତ ପରିସରର୍ଭୁକ୍ତ କରାଯାଇଛି। ଏ ସଂକ୍ରାନ୍ତରେ ୩ଜଣଙ୍କୁ ଇଡି ପଚରାଉଚରା ଆରମ୍ଭ କରିଥିବାବେଳେ ପ୍ରଦୀପଙ୍କ ୫ଜଣ ସମ୍ପର୍କୀୟଙ୍କୁ ନୋଟିସ କରାଯାଇଛି।

Share