ଡ. ଶକ୍ତି ପ୍ରସାଦ ଶ୍ରୀଚନ୍ଦନ
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚଳିତବର୍ଷ ସେପ୍ଟେମ୍ବର ୧୧ ସୁଦ୍ଧା ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାର ନିଷ୍ପତ୍ତି ଯୋଗୁ ଗତ ଦୁଇ ଦଶକର ଶାନ୍ତି ଓ ବିକାଶ ପ୍ରକ୍ରିୟା ସଙ୍କଟାପନ୍ନ ହେବାର ଆଶଙ୍କା ଦେଖାଦେଇଛି। ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ହଠାତ୍ ନିଆଯାଇଥିବାରୁ ଆଫଗାନିସ୍ତାନ ସରକାର ଓ ଏହାର ସୁରକ୍ଷା ବଳ ଏହି ନୂତନ ପରିସ୍ଥିତିକୁ ସମ୍ଭାଳିବା ପାଇଁ ଆବଶ୍ୟକ ପ୍ରାକ୍-ପ୍ରସ୍ତୁତି କରିପାରି ନାହାନ୍ତି। ସେଥିପାଇଁ ତାଲିବାନ ମୁଜାହିଦ୍ଦିନମାନେ ଆଫଗାନିସ୍ତାନର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳକୁ ନିଜ ଦଖଲକୁ ଆଣିସାରିଲେଣି। ଯେଉଁ ଗତିରେ ତାଲିବାନ ନିଜର ଆଧିପତ୍ୟ ବିସ୍ତାର ପାଇଁ ଆଫଗାନିସ୍ତାନ ସୁରକ୍ଷା ବଳ ବିରୋଧରେ ଯୁଦ୍ଧ ଚଳାଇଛି ତାହାଦ୍ୱାରା ନିକଟ ଭବିଷ୍ୟତରେ ପୁଣି ଏକ ଗୃହଯୁଦ୍ଧର ସମ୍ଭାବନା ସୃଷ୍ଟି ହୋଇଛି। ତାଲିବାନ ପୁନଃ ସଶକ୍ତ ହେବା କେବଳ ଆଫଗାନିସ୍ତାନ ପାଇଁ ଚିନ୍ତାର କାରଣ ନୁହେଁ ବରଂ ଆଞ୍ଚଳିକ ନିରାପତ୍ତା ଓ ସ୍ଥିରତା ପାଇଁ ମଧ୍ୟ ଏକ ବଡ଼ ଆହ୍ବାନ।
ଶୀତଳ ଯୁଦ୍ଧ ସମୟରେ ଆଫଗାନିସ୍ତାନରେ ସୋଭିଏଟ୍ ସେନାଙ୍କର ସାମରିକ ଅଗ୍ରଗତିକୁ ମୁକାବିଲା କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନର ସହଯୋଗରେ ତାଲିବାନ ମୁଜାହିଦ୍ଦିନମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଆର୍ଥିକ ସହାୟତା ଓ ସାମରିକ ସରଞ୍ଜାମ ଦେଇ ବଳୀୟାନ୍ କରିଥିଲା। ଶୀତଳ ଯୁଦ୍ଧ ଶେଷ ଭାଗରେ ୧୯୮୯ରେ ସୋଭିଏଟ୍ ସେନା ଅପସରି ଯିବା ପରେ, ତାଲିବାନ ଆଫଗାନିସ୍ତାନରେ ଥିବା ଅନ୍ୟାନ୍ୟ ଗୋଷ୍ଠୀ ବିରୋଧରେ ଯୁଦ୍ଧ କରି ଆଫଗାନିସ୍ତାନକୁ ନିଜ ଆୟତ୍ତାଧୀନ କଲା। ତାଲିବାନ ରାଜୁତି ସମୟରେ କଠୋର ସୁନ୍ନି ଚିନ୍ତାଧାରା ଓ ଶରିୟାତ ଆଇନ ଲାଗୁ ହେବା ଯୋଗୁ ଆଫଗାନିସ୍ତାନ ପୁଣି ମଧ୍ୟଯୁଗୀୟ ସମୟକୁ ଫେରିଗଲା। ମାନବିକ ଅଧିକାର ଉଲ୍ଲଂଘନର ଘଟଣାଗୁଡ଼ିକ ମଧ୍ୟ ବଢ଼ି ଚାଲିଥିଲା। ବିଶ୍ୱ ସମୁଦାୟ ଆଫଗାନିସ୍ତାନର ସ୍ଥିତି ବିଷୟରେ ଅବଗତ ଥାଇ ମଧ୍ୟ ଆର୍ଥିକ ବାସନ୍ଦ ଛଡ଼ା ସେଭଳି ଦୃଢ଼ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଏକମତ ହୋଇ ପାରି ନ ଥିଲେ। ମାତ୍ର ଏହି ସମୟରେ ତାଲିବାନ ବିରୋଧରେ ଯୁଦ୍ଧ ଚଳାଇ ରଖିବା ପାଇଁ ଅହମ୍ମଦ ଶାହ ମାସୁଦଙ୍କ ନେତୃତ୍ୱାଧୀନ ବିପକ୍ଷ ସାମରିକ ଗୋଷ୍ଠୀକୁ କେନ୍ଦ୍ର ଏସିଆର କେତେକ ରାଷ୍ଟ୍ର, ରୁଷିଆ ଓ ଭାରତ ସହଯୋଗ କରିଥିଲେ।
ସେପ୍ଟେମ୍ବର ୧୧, ୨୦୦୧ରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଆକ୍ରମଣର ମାଷ୍ଟରମାଇଣ୍ଡ ଅଲ-କାଏଦାର ପ୍ରମୁଖ ନେତା ଓସାମା ବିନ୍ ଲାଡେନ ଆଫଗାନିସ୍ତାନରେ ଲୁଚିଥିବା ଜାଣି ତାକୁ ତୁରନ୍ତ ହସ୍ତାନ୍ତର କରିବାକୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ବୁଶ ଜୁନିୟର ତାଲିବାନକୁ ଚେତାବନୀ ଦେଇଥିଲେ। ମାତ୍ର ତାଲିବାନ ତାହାକୁ ଅଗ୍ରାହ୍ୟ କରିବାରୁ ଆମେରିକା ସାମରିକ ଅଭିଯାନ ଆରମ୍ଭ କଲା। ପୂର୍ବରୁ ଯେଉଁ ରାଷ୍ଟ୍ରଗୁଡ଼ିକ ଆମେରିକାର ଏକପକ୍ଷୀୟ ଯୁଦ୍ଧକୁ ନାପସନ୍ଦ କରୁଥିଲେ, ସେମାନେ ମଧ୍ୟ ୯/୧୧ ଆତଙ୍କବାଦୀ ଆକ୍ରମଣର ପରବର୍ତ୍ତୀ ପରିସ୍ଥିତିକୁ ଦେଖି ତାଲିବାନ ଓ ଅଲ-କାଏଦା ବିରୋଧରେ ଆମେରିକାର ଯୁଦ୍ଧକୁ ସମର୍ଥନ କଲେ। ପରବର୍ତ୍ତୀ ସମୟରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ରିଜୋଲ୍ୟୁଶନ ୧୩୮୬ ଆଧାରରେ ନାଟୋ ନେତୃତ୍ୱରେ ୪୦ଟି ରାଷ୍ଟ୍ରଙ୍କ ସହଯୋଗରେ ‘ଇଣ୍ଟରନ୍ୟାଶନାଲ ସିକ୍ୟୁରିଟି ଆସିଷ୍ଟାନ୍ସ ଫୋର୍ସ’ (ଆଇଏସ୍ଏଏଫ୍) ଆଫଗାନିସ୍ତାନରେ ନିୟୋଜିତ ହେଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଫଗାନିସ୍ତାନ ସେନାଙ୍କୁ ପ୍ରଶିକ୍ଷଣ ଓ ହମିଦ କାରଜାଇଙ୍କ ନେତୃତ୍ୱରେ ଗଠିତ ମଧ୍ୟବର୍ତ୍ତିକାଳୀନ ସରକାରକୁ ଦେଶର ପୁନର୍ଗଠନ ପାଇଁ ସୁରକ୍ଷା ସହଯୋଗ ଦେବା। ୨୦୧୫ରେ ଆଇଏସ୍ଏଏଫ୍ର କାର୍ଯ୍ୟକାରିତା ସରିବାରୁ ନାଟୋ ନେତୃତ୍ୱରେ ‘ରିଜୋଲୁଟ ସପୋର୍ଟ ମିଶନ’ ନାମକ ଆଉ ଗୋଟିଏ ସାମରିକ କାର୍ଯ୍ୟକ୍ରମ ଏହାର ସ୍ଥାନ ନେଲା; ଯାହାକୁ ମିଳିତ ଜାତିସଂଘ ନିରାପତ୍ତା ପରିଷଦ ରିଜୋଲ୍ୟୁଶନ ୨୧୮୯ ଆଧାରରେ ସ୍ବୀକୃତି ମଧ୍ୟ ମିଳିଥିଲା। ଏହି ମିଶନର ମଧ୍ୟ ମୂଳ ଲକ୍ଷ୍ୟ ଥିଲା ଆଫଗାନିସ୍ତାନ ସୁରକ୍ଷା ବଳକୁ ପ୍ରଶିକ୍ଷଣ ଦେବା ଓ ସେମାନଙ୍କର ତାଲିବାନ, ଅଲ-କାଏଦା ଓ ହକ୍କାନି ନେଟୱର୍କ ଭଳି ଆତଙ୍କବାଦୀ ସଂଗଠନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନରେ ସହଯୋଗ କରିବା। ଆମେରିକା ମଧ୍ୟ ଆଫଗାନିସ୍ତାନରେ ‘ଅପରେଶନ ଇଣ୍ଡୟୁରିଙ୍ଗ ଫ୍ରିଡମ’ ବଦଳରେ ‘ଅପରେଶନ ଫ୍ରିଡମସ ସେଣ୍ଟିନେଲ’ ଆରମ୍ଭ କଲା; ଯାହାର ମୂଳ ଉଦ୍ଦେଶ୍ୟ ଥିଲା ରହି ଯାଇଥିବା ଅଲ-କାଏଦା ଓ ଏହାର ସହଯୋଗୀ ଆତଙ୍କବାଦୀ ଗୋଷ୍ଠୀଙ୍କୁ ମୂଳୋତ୍ପାଟନ କରିବା।
ଆମେରିକା ଇତିହାସରେ ଆଫଗାନିସ୍ତାନରେ ହୋଇଥିବା ଏହାର ସାମରିକ ଅଭିଯାନ ଦୀର୍ଘତମ। ଦୀର୍ଘ କୋଡ଼ିଏ ବର୍ଷର ଏହି ସଂଘର୍ଷରେ ଉଭୟ ପକ୍ଷର ସେନା ଓ ସାଧାରଣ ନାଗରିକଙ୍କୁ ମିଶାଇ ଦୁଇ ଲକ୍ଷରୁ ଅଧିକ ଜୀବନହାନି ଘଟିଛି। ୯/୧୧ ଆତଙ୍କବାଦୀ ଆକ୍ରମଣର କୋଡ଼ିଏ ବର୍ଷ ପୂରଣ ହେବାପୂର୍ବରୁ ନିଜ ସୈନ୍ୟ ପ୍ରତ୍ୟାହାର କରିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କର ଏକ ନୀତିଗତ ନିଷ୍ପତ୍ତି ଯଦିଓ ଏହାକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଯାଇପାରେ। ସେନା ପ୍ରତ୍ୟାହାର ସପକ୍ଷରେ ଏକ ପ୍ରମୁଖ ଯୁକ୍ତି ହେଉଛି କୌଣସି ଏକ ସାର୍ବଭୌମ ଦେଶରେ ବିଦେଶୀ ସେନାମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଡେରା ପକାଇ ରହିବା ସମୀଚୀନ ନୁହେଁ। ରାଷ୍ଟ୍ରପତି ବାଇଡେନଙ୍କ ଅନୁସାରେ ଆଫଗାନିସ୍ତାନରେ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ନିଜେ ଆଫଗାନୀମାନଙ୍କୁ ହିଁ ପ୍ରଚେଷ୍ଟା କରିବାକୁ ପଡ଼ିବ। ତାହାଛଡ଼ା ଆମେରିକାରେ ସେନାଙ୍କୁ ଫେରାଇ ଆଣିବା ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଛି ଓ ଏହା ଗତ ରାଷ୍ଟ୍ରପତି ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ମଧ୍ୟ ଥିଲା। ୯/୧୧ ପାଇଁ ଦାୟୀ ଓସାମା ବିନ ଲାଡେନର ମୃତ୍ୟୁ ଓ ଅଲ-କାଏଦାର ପ୍ରାୟ ପତ୍ତନ ପରେ ଆମେରିକୀୟ ସେନାର ଆଫଗାନିସ୍ତାନରେ ଡେରା ପକାଇ ରହିବାର କୌଣସି କାରଣ ନାହିଁ ବୋଲି ମତ ପ୍ରକାଶ ପାଇଥିଲା। ତଥାପି ବିଶ୍ୱସ୍ତରୀୟ ଆତଙ୍କବିରୋଧୀ ଯୁଦ୍ଧ ଆଳରେ ଆମେରିକା ନିଜ ସୈନ୍ୟଙ୍କୁ ଆଫଗାନିସ୍ତାନରେ ରଖିଥିଲା। କିନ୍ତୁ ଆମେରିକାରେ ନେତୃତ୍ୱ ପରିବର୍ତ୍ତନ ପରେ ଏହି ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି। ତାହାଛଡ଼ା କେତେକ ରିପୋର୍ଟ ଅନୁସାରେ ଆମେରିକା ତାଲିବାନ ସହିତ ଏକ ପ୍ରକାର ବୁଝାମଣା କରିଛି। ତାଲିବାନ ଆମେରିକା ସ୍ବାର୍ଥକୁ ହାନି କରିବା ଭଳି କୌଣସି କାର୍ଯ୍ୟ କରିବ ନାହିଁ ବୋଲି କଥା ଦେଇଥିବା ବେଳେ ଆଫଗାନିସ୍ତାନର ଜାତୀୟ ସ୍ରୋତରେ ସାମିଲ ହେବ ବୋଲି ଆଶ୍ୱାସନା ଦେଇଛି। ତେବେ ତାଲିବାନର ଏଭଳି ଆଶ୍ୱାସନାକୁ ସହଜରେ ବିଶ୍ୱାସ କରାଯାଇ ନ ପାରେ। କେବଳ ଆମେରିକା କାହିଁକି ତାଲିବାନ ମଧ୍ୟ ଅନ୍ୟାନ୍ୟ ଆଞ୍ଚଳିକ ଶକ୍ତି ଯେପରି କି ରୁଷିଆ, ଇରାନ, ପାକିସ୍ତାନ, ଚାଇନା ଓ କେନ୍ଦ୍ର ଏସୀୟ ରାଷ୍ଟ୍ରଗୁଡ଼ିକ ସହିତ ମଧ୍ୟ ଆଲୋଚନା ଜାରି ରଖିଛି। ମାତ୍ର ଚିନ୍ତାର ବିଷୟ ଯେ ଏପଟେ ରାଜନୈତିକ ସ୍ତରରେ ବାର୍ତ୍ତାଳାପ ଚାଲିଥିବା ବେଳେ ସେପଟେ ତାଲିବାନର ମୁଜାହିଦ୍ଦିନମାନେ ଆଫଗାନିସ୍ତାନର ଅନେକ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ ସାରିଲେଣି। ତାଲିବାନର ଏହି ଦୋମୁହାଁ ନୀତିକୁ ଆଫଗାନିସ୍ତାନ ସରକାର ସହଜରେ ଗ୍ରହଣ କରିପାରୁନାହାନ୍ତି।
ପାକିସ୍ତାନର ତାଲିବାନକୁ ସହଯୋଗ ମଧ୍ୟ ଆଫଗାନିସ୍ତାନ ସରକାରଙ୍କର ଚିନ୍ତା ବଢ଼ାଇଛି। ଆଫଗାନିସ୍ତାନ ବିରୋଧୀ ଆତଙ୍କବାଦୀ ତତ୍ତ୍ୱଙ୍କୁ ନିଜ ମାଟିରେ ପ୍ରୋତ୍ସାହନ ଦେଉଥିବାରୁ ଆଫଗାନିସ୍ତାନ ସରକାରଙ୍କର ପାକିସ୍ତାନ ସହିତ ସମ୍ପର୍କ ତିକ୍ତ ରହି ଆସିଛି। କିଛିଦିନ ପୂର୍ବେ ତାସକେଣ୍ଟଠାରେ ଅନୁଷ୍ଠିତ ଏକ ବୈଠକରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘାନି ପାକିସ୍ତାନର କାର୍ଯ୍ୟକଳାପକୁ ଖୋଲାଖୋଲି ନିନ୍ଦା କରିଥିଲେ। ମୁଜାହିଦ୍ଦିନ ମାନଙ୍କୁ ସୀମା ସେପଟୁ ପଠାଇବା ସହିତ ଚାଲିଥିବା ସଂଘର୍ଷ ସମୟରେ ସେମାନଙ୍କୁ ପାକିସ୍ତାନ ବାୟୁସେନାର ସହାୟତା ଭଳି ଗମ୍ଭୀର ଅଭିଯୋଗ ଆଣିଛି ଆଫଗାନିସ୍ତାନ ସରକାର।
ତେବେ ଆଫଗାନିସ୍ତାନ ସ୍ଥିତିରେ ହେଉଥିବା ପରିବର୍ତ୍ତନରେ ଭାରତର ସ୍ବାର୍ଥ ସବୁଠାରୁ ଅଧିକ ହାନି ହେବାର ଆଶଙ୍କା ପ୍ରକାଶ ପାଇଛି। ଗତ ଦୁଇ ଦଶକ ଧରି ଆମେରିକାର ସୁରକ୍ଷା ବଳୟ ମଧ୍ୟରେ ଭାରତ ଆଫଗାନିସ୍ତାନର ପୁନର୍ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। ଆଫଗାନିସ୍ତାନରେ ପ୍ରସ୍ତୁତ ଅନେକ ସାମଗ୍ରୀକୁ ରିହାତି କିମ୍ବା ବିନା ଶୁଳ୍କରେ ଭାରତୀୟ ବଜାରରେ ପ୍ରବେଶ ଅନୁମତି ଆଫଗାନିସ୍ତାନର ଅର୍ଥନୀତିକୁ ସୁଦୃଢ଼ ହେବାରେ ସାହାଯ୍ୟ କରିଛି। ଦ୍ୱିପାକ୍ଷିକ ବାଣିଜ୍ୟ ବର୍ତ୍ତମାନ ୧ ବିଲିୟନ ଡଲାର ଛୁଇଁଲାଣି। ଆଫଗାନିସ୍ତାନର ୩୪ଟି ପ୍ରଦେଶରେ ଭାରତ ସହଯୋଗରେ ପ୍ରାୟ ୪୦୦ରୁ ଊଦ୍ଧର୍ବ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଆଜି ପର୍ଯ୍ୟନ୍ତ ଭାରତ ଆଫଗାନିସ୍ତାନରେ ପ୍ରାୟ ୩ ବିଲିୟନ ଡଲାର ନିବେଶ କରି ସାରିଛି। ତାଲିବାନ ଯଦି ପୁନଃ ଶାସନ ଅକ୍ତିଆର କରେ ତେବେ ଭାରତ କରିଥିବା ସମସ୍ତ ନିବେଶ ଓ ପାଇଥିବା ସଦ୍ଭାବନା ବ୍ୟର୍ଥ ହେବାର ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ତାଲିବାନ ସହିତ ଚାଲିଥିବା ପଛଦ୍ୱାର ବୁଝାମଣାରେ ପାକିସ୍ତାନର ପ୍ରଭାବ ବଢୁଥିବା ବେଳେ ନିଜର ପ୍ରଭାବ ହ୍ରାସ ପାଇବା ଭାରତର ସ୍ବାର୍ଥ ଅନୁକୂଳ ନୁହେଁ। ଏ ଦିଗରେ ଭାରତକୁ ନିଜର ରଣନୀତିରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ବର୍ତ୍ତମାନ ସ୍ଥିତିକୁ ଅବଲୋକନ କଲେ ଏହା ନିଶ୍ଚିତ କୁହାଯାଇପାରେ ଯେ ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରଙ୍କର ହଠାତ୍ ସେନା ପ୍ରତ୍ୟାହାର ନିଷ୍ପତ୍ତି ଆଫଗାନିସ୍ତାନର ସରକାର ଓ ସୁରକ୍ଷା ବଳଙ୍କୁ ଏକ ଦୁର୍ବଳ ସ୍ଥିତିରେ ପକାଇଛି। ହୁଏତ ପ୍ରତ୍ୟାହାର ପୂର୍ବରୁ ସେମାନଙ୍କୁ ପ୍ରାକ୍-ପ୍ରସ୍ତୁତି ପାଇଁ ଯଥେଷ୍ଟ ସମୟ ଦେଇଥିଲେ ବର୍ତ୍ତମାନର ପରିସ୍ଥିତି ଅନ୍ୟ ପ୍ରକାର ହୋଇଥାନ୍ତା। ତାଲିବାନ ଯେଉଁ ବେଗରେ ବିଭିନ୍ନ ଅଞ୍ଚଳ କବ୍ଜା କରି ଚାଲିଛି ତଦ୍ଦ୍ବାରା ଏକ ଅଶାନ୍ତ ଆଫଗାନିସ୍ତାନ ଆଞ୍ଚଳିକ ସ୍ଥିରତା ବିପନ୍ନ କରିପାରେ। ତେଣୁ ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିବା ପାଇଁ ଓ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ସେଠାକାର ସରକାର, ବିଭିନ୍ନ ଜାତୀୟ ଗୋଷ୍ଠୀଙ୍କର ଯେତିକି ଦାୟିତ୍ୱ ରହିଛି ସେତିକି ରହିଛି ଆଫଗାନିସ୍ତାନର ପଶ୍ଚିମ ଏସୀୟ, କେନ୍ଦ୍ର ଏସୀୟ ଓ ଦକ୍ଷିଣ ଏସୀୟ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର।
ଆସିଷ୍ଟାଣ୍ଟ ପ୍ରଫେସର,ଅନ୍ତର୍ଜାତୀୟ ଶିକ୍ଷା ସଂସ୍ଥାନ
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀ