ଅସୁରକ୍ଷିତ ଖଣି, ପାଣି

ଯାଜପୁର ଅଫିସ,୧୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଓସ୍ତପାଳ ଫେକର ମାଇନ୍ସ କର୍ତ୍ତୃପକ୍ଷ ସୁରକ୍ଷା ନିୟମକୁ ଉଲ୍ଲଂଘନ କରିଛନ୍ତି। ଖଣି ଗର୍ତ୍ତ ଧାରଠାରୁ ପ୍ରାୟ ୧୦୦ ମିଟର ଦୂର ପରିବର୍ତ୍ତେ ମାତ୍ର ୧୦ ମିଟର ଦୂରତାରେ ଡମ୍ପ ରହିଛି। ତେଣୁ ନିୟମିତ ବ୍ୟବଧାନରେ ଡମ୍ପପିଟ୍‌ ଖସୁଛି। ଏହିକ୍ରମରେ ଅଧିକାଂଶ ସ୍ଥାନ ଅସୁରକ୍ଷିତ ରହିଥିବାରୁ ଭାରତ ସରକାରଙ୍କ ଡାଇରେକ୍ଟର ଜେନେରାଲ ଅଫ୍‌ ମାଇନ୍ସ ସେଫ୍‌ଟି(ଡିଜିଏମ୍‌ଏସ୍‌) ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଖଣି ସୁରକ୍ଷା ନିର୍ଦ୍ଦେଶକ(ଭୁବନେଶ୍ୱର କ୍ଷେତ୍ର)ଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ୧୬ା୪ା୨୦୨୧ ତାରିଖରେ ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ ଏହି ନିର୍ଦ୍ଦେଶ ହୋଇଛି। ଏହାସହ ଅଭିଯୋଗ ଅନୁସାରେ ଖଣି ଭିତରେ ଦୀର୍ଘଦିନ ଧରି ଜମି ରହିଥିବା ନିକେଲ ମିଶ୍ରିତ ପାଣିକୁ ବିଶୋଧନ କରା ନ ଯାଇ ବାହାରେ ଛାଡ଼ି ଦିଆଯାଇଥିବାରୁ ଡମଶାଳା ନାଳା ପାଣି ବିଷାକ୍ତ ହୋଇପଡ଼ିଛି। ଫଳରେ ଏହି ନାଳା ଉପରେ ନିର୍ଭର କରୁଥିବା ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ସୁକିନ୍ଦା ଖଣି ଅଞ୍ଚଳର ଓସ୍ତପାଳ ଓ କଳରଙ୍ଗୀ ଅଟାଠାରେ ଫେକର ସଂସ୍ଥାର ୨ଟି କ୍ରୋମାଇଟ୍‌ ଖଣି ରହିଛି। ବେଦାନ୍ତ ଲିଃ. କମ୍ପାନୀ ଜାନୁୟାରୀ ୨୦୨୦ରେ ଏଗୁଡ଼ିକର ମାଲିକାନା ସ୍ବତ୍ୱ ହାସଲ କରିଛି। ଏହି ଦୁଇ କ୍ରୋମାଇଟ ଖଣିରେ ଗତ ଅକ୍ଟୋବର ୨୦୨୦ରୁ ଖଣିଜ ପଦାର୍ଥ ଉତ୍ତୋଳନ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ପୂର୍ବରୁ ଦୀର୍ଘଦିନ ଧରି ଓସ୍ତପାଳ କ୍ରୋମାଇଟ ଖଣି ମଧ୍ୟରେ ଜଳସ୍ତର ବୃଦ୍ଧି ଘଟିଥିଲା। ବେଦାନ୍ତ କମ୍ପାନୀ ତା’ର ଖଣି କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଏହି ଜଳକୁ ନିଷ୍କାସନ କରିବା ଆବଶ୍ୟକ ହେଉଥିଲା। ହେଲେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପତ୍ରସଂଖ୍ୟା ୨୪୩୦/୫ା୨ା୨୦୧୬ର ସମସ୍ତ ନିୟମକୁ ବେଖାତିର କରି ଗତବର୍ଷ ନଭେମ୍ବରରୁ ଜାନୁୟାରୀ ୨୦୨୧ ମଧ୍ୟରେ ଖଣିର ସମସ୍ତ ଜଳକୁ ଇଟିପି(ଏମ୍ଫ୍ଲୁଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ଜରିଆରେ ବିଶୋଧନ ନ କରି ୧୫ ଲକ୍ଷ ଲିଟରରୁ ଊର୍ଦ୍ଧ୍ୱ ବିଷାକ୍ତ ପାଣି ନିଷ୍କାସନ କରାଯାଇଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଅଧିବାସୀ ଲମ୍ବୋଧର ମହନ୍ତ, ପରେଶ ମହନ୍ତ, ଗୀତାଞ୍ଜଳି ମହନ୍ତ, ରାଜାରାମ ମାରାଣ୍ଡି, ଦେବେନ୍ଦ୍ର ମହାନ୍ତ ପ୍ରମୁଖ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତେବେ ଏସପିସିବିର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀମାନେ ଖଣି କର୍ତ୍ତୃପକ୍ଷଙ୍କ ସହିତ ସାଲିସ ଯୋଗୁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ ହେଉଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଏହି ଖଣିଦ୍ୱୟରେ ପୁରୁଣା ଇଟିପି ଯନ୍ତ୍ରରେ ବିଶୋଧନ କାର୍ଯ୍ୟ ଚାଲିଥିବାରୁ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଅଧିକ ଜଟିଳ ହେବାରେ ଲାଗିଛି। କଳରଙ୍ଗୀ, ପୁରିଆଝର, ବରଗଜି, ବୁରୁରାପୁଡୁ, କୁମାରଡିହି, ରଆଁସୋଳ, କୃଷ୍ଣପୁର ଆଦି ଗ୍ରାମବାସୀ ଏହି ବିଷାକ୍ତ ପାଣିରେ ପ୍ରଭାବିତ ହୋଇଛନ୍ତି। ଆଗକୁ ସ୍ବାସ୍ଥ୍ୟ ସମସ୍ୟା ଗୁରୁତର ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଡମଶାଳା ନଦୀ ମଧ୍ୟକୁ କ୍ରୋମିୟମ ଓ ବିଭିନ୍ନ କେମିକାଲ ମିଶା ଦୂଷିତ ଜଳ ଛଡ଼ା ଯିବା ନେଇ ପୂର୍ବରୁ ଅଞ୍ଚଳବାସୀ ଅନେକ ଥର ଅଭିଯୋଗ କରିଛନ୍ତି। କିନ୍ତୁ ଏସ୍‌ପିସିବି କେବଳ ଜଳ ନମୁନା ପରୀକ୍ଷା କରିବାରେ ସୀମିତ ରହିଛି। କୌଣସି ପ୍ରଦୂଷଣକାରୀ ଖଣି ସଂସ୍ଥା ଉପରେ ଏସ୍‌ପିସିବି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସାହସ ଜୁଟାଇ ପାରୁନାହିଁ। ଜଳ ପ୍ରଦୂଷଣ ସମ୍ପର୍କରେ ଏସ୍‌ପିସିବି ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ। ଅନ୍ୟପକ୍ଷେ ଖଣି ଓ ଡମ୍ପ ମଧ୍ୟରେ ଦୂରତା କମ୍‌ ରହୁଥିବାରୁ ପୂର୍ବରୁ ଡମ୍ପ ଖସିଥିବା ନଜିର ରହିଛି। ଏଥିରେ ଏକାଧିକ ବ୍ୟକ୍ତିଙ୍କ ଜୀବନ ମଧ୍ୟ ଯାଇଛି। ତେଣୁ ଖଣି ସୁରକ୍ଷା ନିର୍ଦ୍ଦେଶକ ଉପଯୁକ୍ତ ଯାଞ୍ଚ କରି ବିହିତ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।