ଅସୁରକ୍ଷିତ ଧାନମଣ୍ଡି: ୧୧୭ରୁ ଗୋଟିଏରେ ସିସିଟିଭି

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା): ଧାନ ମଣ୍ଡିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଇବାକୁ ବିଭାଗୀୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଏହିମର୍ମରେ ରାଜ୍ୟ ସମବାୟ ସମିତିର ନିବନ୍ଧକ ୯ା୫ା୨୦୨୩ରେ ସମସ୍ତ ଡିଆର୍‌ସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇଥିବା ରାଜ୍ୟର ୩୪୬୩ ପାକ୍ସ ମଧ୍ୟରୁ ୧୦୫୬ଟିରେ ଗତ ୨୮ ତାରିଖ ସୁଦ୍ଧା ସିସିଟିଭି ଲଗାଯାଇଛି। ସେଥିରୁ ଯାଜପୁର ଜିଲାରେ ନୈରାଶ୍ୟଜନକ ଫଳ ରହିଛି। ଏହି ଜିଲାରେ ନିର୍ଦ୍ଧାରିତ ୧୧୭ ପାକ୍ସ ମଧ୍ୟରୁ ମାତ୍ର ଗୋଟିଏ ପାକ୍ସରେ ସିସିଟିଭି ଲାଗିଛି। ତେଣୁ ତୁରନ୍ତ ବାକି ୧୧୬ ପାକ୍ସରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ସମବାୟ ସମିତିର ନିବନ୍ଧକ ଯାଜପୁର ଜିଲାପାଳଙ୍କୁ ପତ୍ର ଲେଖିଥିବା ଜଣାପଡ଼ିଛି।
ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ୧୨୨ ପାକ୍ସ ସାମିଲ ହୋଇଛି। ଜିଲାରେ ପ୍ରାୟ ୧୨ ଲକ୍ଷ କୁଇଣ୍ଟାଲ ଖରିଫ ଧାନ ସଂଗ୍ରହ ହୋଇଥାଏ। ଏଥିରେ ପ୍ରାୟ ୪୪ ହଜାର ଚାଷୀ ଧାନ ବିକ୍ରି କରିଥାନ୍ତି। ଚାଷୀମାନେ ଧାନ ବିକ୍ରି କରିବା ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ମିଲର୍ସମାନେ ଧାନ ଉଠାଇବାରେ ବିଳମ୍ବ କରୁଥିବା ଯୋଗୁ ଦିନରାତି ଚାଷୀଙ୍କ ଧାନ ପାକ୍ସଗୁଡିକରେ ପିଡ଼ି ରହୁଥିବାର ନଜିର ରହିଛି। ଏଭଳି ସ୍ଥିତିରେ ବର୍ଷା ହେଲେ ଚାଷୀଙ୍କ ଧାନ ନଷ୍ଟ ହୋଇଯାଇଥାଏ। ଏପରିକି ଧାନ ବସ୍ତା ଚୋରି ହେବା ଆଶଙ୍କା ମଧ୍ୟ ରହିଥାଏ। ଏହିସବୁ ସମସ୍ୟା ସମ୍ପର୍କରେ ଚାଷୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିବା ସତ୍ତ୍ବେ କିଛି ସୁଫଳ ମିଳି ପାରିନାହିଁ। ଏହାପରେ ବିଭାଗ ପକ୍ଷରୁ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ତାହା ବି ଏଯାଏ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ଶରତ ଚନ୍ଦ୍ର ମଲ୍ଲିକଙ୍କ ମତାମତ ନେବାକୁ ତାଙ୍କ ମୋବାଇଲକୁ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।