ଅସୁରକ୍ଷିତ ସର୍କିଟ ହାଉସ

ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅଧୀନରେ ରହିଛି ସରକାରଙ୍କ ସର୍କିଟ ହାଉସ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭିଭିଆଇପି, ବରିଷ୍ଠ ଅଧିକାରୀ, ନେତା, ମନ୍ତ୍ରୀମାନେ ରହଣି କରନ୍ତି। ସେମାନଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥାଏ। ହେଲେ ଗୁରୁବାର ଏହା ମଧ୍ୟକୁ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯେଭଳି ଧସେଇ ପଶିଲେ ସେଥିରୁ ସର୍କିଟ ହାଉସ ଓ ଏଠରେ ରହଣି କରୁଥିବା ଭିଭିଆଇପି ଅସୁରକ୍ଷିତ ବୋଲି ମନେ ହେଉଛି। ପୋଲିସ ଉପସ୍ଥିତ ଥାଇ ବି କର୍ମକର୍ତ୍ତାମାନେ ଗେଟ ଖୋଲି ଧସେଇ ପସିବା, ଭିତରେ ଥିବା ସୋଫା ଓ ଅନ୍ୟ ସାମଗ୍ରୀ ଉପରେ ଛିଡା ହୋଇ ନାରାବାଜି କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ତେଣୁ ସମ୍ବଲପୁର ଜିଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ମନେ ହେଉଛି। ଅନ୍ୟପଟେ ବିଜେଡି ନେତା ଓ କର୍ମକର୍ତ୍ତା ଘେରାଉ କରିବା ସହ ସର୍କିଟ ହାଉସରେ ଭଙ୍ଗାରୁଜା କରିବା ଭଳି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ତେଣୁ ପୋଲିସ ବ୍ୟବସ୍ଥା ଓ ପୋଲିସ ଏକ ଦଳୀୟ ହୋଇ ରହିଯାଇଛି। କେବଳ ଭାଜପା ଓ ଅନ୍ୟ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଗିରଫ କରିବା, ଧମକାଇବା ଭଳି କାମ କରୁଛି। ଏଭଳି ପରିସ୍ଥିିତି ଯୋଗୁ ପୋଲିସ ଉପରେ ସାଧାରଣ ଜନତାଙ୍କ ଭରସା ଉଠିଯାଉଛି ବୋଲି ଭାଜପା ନେତା ସମୀର ରଞ୍ଜନ ବାବୁ କହିଥିଲେ।
ସୂଚନାଯୋଗ୍ୟ, ଭାଜପା ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ ସମୟରେ ହୋଇଥିବା ଘଟଣାକୁ ନେଇ ଗୁରୁବାର ବିଜେଡି ପ୍ରତିକ୍ରିୟାଶୀଳ ହୋଇଥିଲା। ସର୍କିଟ ହାଉସରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରହୁଥିବା ନେଇ ଶତାଧିକ ମହିଳା କର୍ମୀଙ୍କ ସହ ବିଜେଡି କର୍ମକର୍ତ୍ତାମାନେ ସର୍କିଟ ହାଉସ ଭିତରକୁ ଧସେଇ ପସିଥିଲେ। ସର୍କିଟ ହାଉସକୁ ସଂଯୋଗ କରୁଥିବା ରାସ୍ତାଗୁଡିକରେ ମଧ୍ୟ ମହିଳାମାନେ ବିକ୍ଷୋଭ କରିଥିଲେ।ଏ ସମ୍ପର୍କରେ ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ସର୍କିଟ ହାଉସ ଘଟଣାରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ମାମଲା ରୁଜୁ କରାଯାଇ ନାହିଁ।

Share