ସାଟେଲାଇଟ୍‌ ସର୍ଭେରୁ ଧରାପଡ଼ିଲା ଅଯୋଗ୍ୟ ଜମି

କଟକ ସଦର, ୨୮ା୧୧(ଡି.ଏନ୍‌.ଏ.): ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଚାଷୀମାନେ ଧାନ ବିକ୍ରି ପାଇଁ ଅନ୍‌ଲାଇନରେ ନାମ ପଞ୍ଜୀକରଣ କରିଥିଲେ। ଏହି ପଞ୍ଜୀକରଣବେଳେ ବହୁ ଅଯୋଗ୍ୟ ପ୍ଲଟ୍‌ରେ ଧାନଚାଷ ହୋଇଥିବା ଦର୍ଶାଯାଇଥିଲା। ମାତ୍ର ସେହି ପ୍ଲଟ୍‌ଗୁଡ଼ିକରେ ଧାନଚାଷ ହୋଇ ନ ଥିବା ସାଟେଲାଇଟ୍‌ ସର୍ଭେରୁ ଜଣାପଡ଼ିଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି ବ୍ୟାପାର ବିଭାଗ ନିର୍ଦ୍ଦେଶ ଦେଇଛି। ତଦନୁଯାୟୀ କଟକ ସଦର ବ୍ଲକର ବିଭିନ୍ନ ସମବାୟ ସମିତିର କର୍ମଚାରୀମାନେ ବିଲକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଅନେକ ଜମି ଉପରେ କୋଠାଘର, ପୋଖରୀ ଭଳି ଅଣ କୃଷି କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି। ସେଥିପାଇଁ ସମ୍ପୃକ୍ତ ଚାଷୀମାନେ ବିରୋଧ କରିବା ସହ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିଛନ୍ତି। ବିଶେଷକରି ୪୨ ମୌଜା ଭଳି ଅଣଜଳସେଚିତ ଅଞ୍ଚଳରେ ଅନେକ ଚାଷଜମିର କିସମ ପରିବର୍ତ୍ତନ କରା ନ ଯାଇ ବଡ଼ ବଡ଼ କୋଠାଘର କରାଯାଇଥିବା ସାଟେଲାଇଟ୍‌ ସର୍ଭେରୁ ଜଣାପଡ଼ିଛି, ଯାହାକୁ ନେଇ କୂଳସରିଚୁଅଁା, ଦଧିବାମନପୁର, ଗତିରାଉତପାଟଣା, କନ୍ଦରପୁର, ଯଶପଡ଼ା, କିଶୋରନଗର, ପ୍ରହରାଜପୁର ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତଥାପି ସରକାରଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ ବୋଲି କଟକସ୍ଥିତ ସହକାରୀ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ପରିଚୟ ଗୋପନ ରଖି କହିଛନ୍ତି।