ମାସ୍କ ନ ପିନ୍ଧିଲେ ଅଜବ ଦଣ୍ଡ; ହସ୍ପିଟାଲରେ କରିବାକୁ ପଡ଼ିବ ସ୍ବେଚ୍ଛାସେବୀ କାମ

ଗ୍ବାଲିଅର, ୬।୭- ମହାମାରୀ କରୋନା ସଂକ୍ରମଣରୁ ବଞ୍ଚତ୍ବା ଲାଗି ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନି ଚଳିବାକୁ ସରକାର ପରାମର୍ଶ ଦେଇଛନ୍ତି। କିନ୍ତୁ କେତେକ ଲୋକ ସରକାରୀ ନିୟମକୁ ଉଲ୍ଲଘଂନ କରି ବିନା ମାସ୍କରେ ବୁଲୁଥିବାର ଦେଖିବାକୁ ମିଳିଛି। ଏହାକୁ ନଜରରେ ରଖି ମଧ୍ୟପ୍ରଦେଶ ଗ୍ବାଲିଅରରେ ଏକ ଅଜବ ନିୟମ ଜାରି କରାଯାଇଛି। ଗ୍ବାଲିଅରରେ ଯେଉଁ ବ୍ୟକ୍ତି କୋଭିଡ୍‌-୧୯ ପ୍ରତିରୋଧ ନିୟମକୁ ଉଲ୍ଲଘଂନ କରି ବିନା ମାସ୍କରେ ଯାତାୟତ କରିବେ ସେମାନଙ୍କୁ ଅତିକମ୍‌ରେ ୩ ଦିନ ହସ୍ପିଟାଲ କିମ୍ବା ପୋଲିସ୍‌ ଚେକ୍‌ ପୋଷ୍ଟରେ ସ୍ବେଚ୍ଛାସେବୀ ଭାବେ କାମ କରିବାକୁ ପଡ଼ିବ। ଗ୍ବାଲିଅର ଜିଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂ ‘କିଲିଂ କରୋନା’ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ‘ସୋମବାରଠାରୁ ଏହି ନିୟମ ପାଳନ କରାଯାଇଛି। ଯଦି ଲୋକମାନେ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀକୁ ମାନିବେ ନାହିଁ ତେବେ ସେମାନଙ୍କୁ କରୋନା ଯୋଦ୍ଧାମାନଙ୍କ କାମ କରିବାକୁ ପଡ଼ିବ। ତିନିଦିନ ପାଇଁ ସେମାନେ ହସ୍ପିଟାଲ କିମ୍ବା ପୋଲିସ ଚେକ୍‌ ପୋଷ୍ଟରେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଜିଲାପାଳ କହିଛନ୍ତି।

Share