ନୂଆଦିଲ୍ଲୀ,୨୪।୧: ସାଧାରଣତନ୍ତ୍ର ଦିବସ ପରେଡ୍ରେ ଯୋଗଦେବାକୁ ହେଲେ ଉଭୟ ଡୋଜ୍ କୋଭିଡ୍ ଟିକା ନେବା ବାଧ୍ୟତାମୂଳକ। ଟିକା ନେଇ ନ ଥିବା ବ୍ୟକ୍ତି ଏବଂ ୧୫ ବର୍ଷରୁ କମ୍ ପିଲାଙ୍କୁ ପରେଡ୍ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଅନୁମତି ମିଳିବ ନାହିଁ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ଜାରି ଗାଇଡ୍ଲାଇନରେ କୁହାଯାଇଛି। ରାଜପଥରେ ହେବାକୁ ଥିବା ପରେଡ୍ କାର୍ଯ୍ୟକ୍ରମରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି କୋଭିଡ୍ ପ୍ରୋଟୋକଲ୍ ପାଳନ କରିବାକୁ ହେବ। ଆମନ୍ତ୍ରିତ ବ୍ୟକ୍ତି ସାଙ୍ଗରେ ଟିକା ସାର୍ଟିଫିକେଟ ଆଣିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।