Categories: ଜାତୀୟ

ଅକ୍ଟୋବର ୩ରେ ଅଟଳ ଟନେଲର ଲୋକାର୍ପଣ

ରୋହତଙ୍ଗ, ୧।୧୦: ଅକ୍ଟୋବର ୩ ପୂର୍ବାହ୍ନ ୧୦ଟାରେ ହିମାଚଳପ୍ରଦେଶର ରୋହତଙ୍ଗଠାରେ ଥିବା ଅଟଳ ଟନେଲର ଲୋକାର୍ପଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିବେ। ଏହି ଟନେଲ୍‌ ଦ୍ୱାରା ମନାଲିଠାରୁ ଲେହ ମଧ୍ୟରେ ୪୬ କିଲୋମିଟର ଦୂରତା କମିଯିବ ବୋଲି କୁହାଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁସାରେ ଏହାକୁ ଅଟଳ ରୋହତଙ୍ଗ ଟନେଲ ଭାବେ ନାମିତ କରାଯାଇଛି। ସମୁଦ୍ର ପତ୍ତନଠାରୁ ୧୦ ହଜାର ୧୭୧ ଫୁଟ ଉଚ୍ଚରେ ୯.୨ କିଲୋମିଟର ଲମ୍ବ ଏହି ଟନେଲ ଲଦାଖକୁ ଦେଶର ଅନ୍ୟ ଅଞ୍ଚଳ ସହିତ ବର୍ଷ ସାରା ଯୋଡ଼ିବାକୁ ସକ୍ଷମ ହେବ। ଏହାର ନିର୍ମାଣ କାର୍ଯ୍ୟ ୨୦୧୦ ଜୁନ୍‌ ୨୮ରୁ ଆରମ୍ଭ ହୋଇଥିଲା। ଏହି ଟନେଲରେ ଯେକୌଣସି ଯାନ ସର୍ବାଧିକ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଯାତ୍ରା କରିପାରିବ। ଏକା ସାଙ୍ଗରେ ଟନେଲରେ ୩ ହଜାର କାର୍‌ ଏବଂ ୧୫୦୦ ଟ୍ରକ୍‌ ଯିବା ଆସିବା କରିପାରିବେ। ଏହି ଟନେଲ ନିର୍ମାଣରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ଲଦାଖରେ ମୁତୟନ ଥିବା ଯବାନଙ୍କ ପାଖକୁ ଏହି ଟନେଲ ଦେଇ ଆବଶ୍ୟକ ସରଞ୍ଜାମ ଏବଂ ଖାଦ୍ୟ ପଦାର୍ଥ ସହଜରେ ଏବଂ ଶୀଘ୍ର ପହଞ୍ଚି ପାରିବ।

Share