ରିଆଲିଟି ଶୋ’ ‘ବିଗ ବସ ଓଟିଟି’ରୁ ଚର୍ଚ୍ଚାର ପରିସରକୁ ଆସିଥିବା ମଡେଲ୍ ଉର୍ଫି ଜାଭେଦ ଏବେ ଚିନ୍ତାରେ ପଡିଛନ୍ତି। ତାଙ୍କୁ ଜଣେ ବ୍ୟକ୍ତି ବାରମ୍ବାର ସୋସିଆଲ ମିଡିଆରେ ବ୍ଲାକ୍ମେଲ୍ କରୁଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ ଭୁଲ୍ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି।
ଅଦ୍ଭୁତ ଫ୍ୟାଶନ ଏବଂ ପୋଷାକ ପାଇଁ ସର୍ବଦା ଟ୍ରୋଲ ହେଉଥିବା ଉର୍ଫି ବ୍ଲାକ୍ମେଲ୍ କରୁଥିବା ଯୁବକଙ୍କ ଫଟୋ ଏବଂ ମେସେଜ୍ର ସ୍କ୍ରିନ୍ଶଟ୍ ଶେୟାର କରି ଏକ ଲମ୍ବା କ୍ୟାପଶନ୍ ଦେଇଛନ୍ତି। ସେ ଲେଖିଛନ୍ତି,ଏହି ବ୍ୟକ୍ତି ମୋତେ ଅନେକ ଦିନ ହେବ ହଇରାଣ କରୁଛନ୍ତି। ୨ ବର୍ଷ ପୂର୍ବେ ମୋ ଫଟୋକୁ ଭୁଲ୍ ଢଙ୍ଗରେ ସୋସିଆଲ ମିଡିଆରେ ଶେୟାର କରୁଥିଲେ। ମୁଁ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲି। ଏବେ ଏହି ବ୍ୟକ୍ତି ଜଣକ ମୋତେ ଭିଡିଓ ସେକ୍ସ କରିବାକୁ ବ୍ଲାକମେଲ କରୁଛନ୍ତି। ନଚେତ୍ ବଲିଉଡ୍ରେ ମୋ କ୍ୟାରିୟର୍ ନଷ୍ଟ କରିଦେବାକୁ ଧମକ ଦେଉଛନ୍ତି। ମୁଁ ଗୋରେଗାଓଁ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲି। ୧୪ ଦିନ ହୋଇଗଲାଣି ଏବଂ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ମୁମ୍ବାଇ ପୋଲିସ ବିଷୟରେ ବହୁତ ଭଲ କଥା ଶୁଣିଥିଲି। କିନ୍ତୁ ମୁଁ ବହୁତ ନିରାଶ ଅଛି।