Categories: ଜାତୀୟ

ପୋଲିସ ମାଡ଼ରେ ପରିବା ବିକାଳିଙ୍କ ଜୀବନ ଗଲା

ଉନ୍ନାଓ, ୨୨।୫: ଉତ୍ତରପ୍ରଦେଶର ଉନ୍ନାଓ ଜିଲାରେ କୋଭିଡ୍‌-୧୯ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ଜଣେ ୧୭ ବର୍ଷୀୟ ପରିବା ବ୍ୟବସାୟୀଙ୍କୁ ପୋଲିସ ନିର୍ମମ ଭାବେ ପିଟିବାରୁ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ୨ଜଣ କନ୍‌ଷ୍ଟେବଲଙ୍କୁ ନିଲମ୍ବନ କରାଯିବା ସହ ଜଣେ ହୋମଗାର୍ଡଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏଥିସହ ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି।

ବାଙ୍ଗରମାଉ ଅଧୀନ ଭାଟପୁରି ଅଞ୍ଚଳରେ ଫୈସଲ ହୁସେନ ତାଙ୍କର ଘର ନିକଟରେ ପରିବା ବିକ୍ରି କରୁଥିଲେ। ସେ କରୋନା କର୍ଫ୍ୟୁକୁ ଉଲ୍ଲଂଘନ କରିଥିବାରୁ କନ୍‌ଷ୍ଟେବଲ ବିଜୟ ଚୌଧୁରୀ, ସିମାବତ ଏବଂ ହୋମଗାର୍ଡ ସତ୍ୟପ୍ରକାଶ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ସେମାନେ ଫୈସଲଙ୍କୁ ବାଙ୍ଗରମାଉ ଥାନାକୁ ନେଇଯାଇ ପୁଣି ମାଡ଼ ମାରିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ତାଙ୍କୁ ଘୋଷଣା କରିଥିଲେ।

ପୋଲିସ ବର୍ବରତା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଫୈସଲଙ୍କ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ଏଏସ୍‌ପିଙ୍କ ପ୍ରତିଶ୍ରୁତି ପରେ ଅବରୋଧ ହଟିଥିଲା।

Share