Categories: ଜାତୀୟ

ୟୁପି ବିଧାନସଭା ନିର୍ବାଚନ: ୪୮ ଘଣ୍ଟାରେ ଭାଜପାର ୬ ବିଧାୟକ ଦେଲେ ଇସ୍ତଫା

ଲକ୍ଷ୍ନୌ,୧୩ ।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ବୁଧବାର ଓବିସି ନେତା ଦାରା ସିଂ ଚୌହାନ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ଗତ ୨ ଦିନ ମଧ୍ୟରେ ୬ ଜଣ ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଦାରା ସିଂ ଅନ୍ୟତମ । ଇତିମଧ୍ୟରେ ଜଣେ କଂଗ୍ରେସ ବିଧାୟକ ଓ ଜଣେ ସମାଜବାଦୀ ପାର୍ଟି ବିଧାୟକ ଭାରତୀୟ ଜନତା ପାଟି(ଭାଜପା)ରେ ସାମିଲ ବି ହୋଇଛନ୍ତି ।
ଗୋଟିଏ ପଟେ ଭାଜପା ନେତାଙ୍କର ଦିଲ୍ଲୀରେ ଉତ୍ତର ପ୍ରଦେଶ ବିଧାନସଭାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ମଙ୍ଗଳବାର କ୍ୟାବିନେଟ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଯୋଗୀଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ଏହା ବ୍ୟତୀତ ଭାଜପା ବିଧାୟକ ଅବତାର ସିଂ ଭଡାନା ଦଳରୁ ଇସ୍ତଫା ଦେଇ ରାଷ୍ଟ୍ରୀୟ ଲୋକ ଦଳରେ ସାମିଲ ହୋଇଛନ୍ତି । ଏହାସହ ମୌର୍ଯ୍ୟଙ୍କ ସମର୍ଥକ କୁହାଯାଉଥିବା ୩ ବିଧାୟକ ବି ଦଳରୁ ଇସ୍ତଫା ଦେଇଛନ୍ତି । ତେଣୁ ଉତ୍ତର ପ୍ରଦେଶ ବିଧାନସଭା ପୂର୍ବରୁ ଭାଜପା ନେତାଙ୍କ ଦଳ ଛାଡିବା ଶାସକ ଦଳ ପାଇଁ ଏକ ବଡ ଝଟ୍‌କା ବୋଲି କୁହାଯାଉଛି ।

Share