Categories: ଜାତୀୟ

ଦ୍ୱାଦଶ ବୋର୍ଡର ଇଂଲିଶ ପ୍ରଶ୍ନପତ୍ର ଲିକ୍‌: ୨୪ଟି ଜିଲାରେ ପରୀକ୍ଷା ବାତିଲ

ଲକ୍ଷ୍ନୌ,୩୦।୩: ଉତ୍ତରପ୍ରଦେଶ ବୋର୍ଡ ପରୀକ୍ଷାରେ ଦ୍ୱାଦଶର ଇଂଲିଶ ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଏନେଇ ଖବର ମିଳିବା ପରେ ୨୪ଟି ଜିଲାରେ ଇଂଲିଶ ପରୀକ୍ଷାକୁ ବାତିଲ କରାଯାଇଛି। ବୁଧବାର ଦ୍ୱିପ୍ରହର ୨ଟାରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ପ୍ରଶ୍ନପତ୍ର ଲିକ୍‌ ଯୋଗୁ ପରୀକ୍ଷା ହୋଇ ପାରି ନ ଥିଲା। ତେବେ ଅବଶିଷ୍ଟ ୫୧ଟି ଜିଲାରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବୋର୍ଡ ପରୀକ୍ଷା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ବିଭାଗର ଏସିଏସ୍‌ ଆରାଧନା ଶୁକ୍ଲା କହିଛନ୍ତି। ମିଳିଥିବା ସୂଚନା ଅନୁସାରେ, ବଲିଆରେ ଏହି ପ୍ରଶ୍ନପତ୍ର ଲିକ୍‌ ହୋଇଛି। ଅନ୍ୟପଟେ ବାତିଲ ହୋଇଥିବା ପରୀକ୍ଷାର ପରବର୍ତ୍ତୀ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଖୁବ୍‌ଶୀଘ୍ର ଏନେଇ ଏକ ବିଜ୍ଞପ୍ତି ଜାରି କରାଯିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିନୟ କୁମାର ପାଣ୍ଡେ ସୂଚନା ଦେଇଛନ୍ତି।

 

Share