Categories: ଜାତୀୟ

ୟୁପି ବୋର୍ଡ ଟପ୍ପର: ରିୟା-ଅନୁରାଗ

ଲକ୍ଷ୍ନୌ, ୨୭।୬: ୟୁପି ବୋର୍ଡର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ଦଶମ ବୋର୍ଡ ପରୀକ୍ଷାରେ ବାଗପତର ରିୟା ଜୈନ୍‌ ଟପ୍ପର ହୋଇଛନ୍ତି। ସେ ୯୬.୬୭ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଅନୁରାଗ ମଲିକ୍‌ ୯୭ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ରିୟା ବାରାଓ୍ବତ୍‌ର ଶ୍ରୀରାମ ଇଣ୍ଟର କଲେଜର ଛାତ୍ରୀ। ସେହିପରି ଅନୁରାଗ ମଧ୍ୟ ଶ୍ରୀରାମ କଲେଜର ଛାତ୍ର। ଗତବର୍ଷ ଏହି କଲେଜର ତନୁ ତମୋର ଦ୍ୱାଦଶ ଶ୍ରେଣୀର ଟପ୍ପର ହୋଇଥିଲେ। ଅନୁରାଗ ପ୍ରତିଦିନ ୧୫ ଘଣ୍ଟା ପରିଶ୍ରମ କରୁଥିଲେ। ଏଥିରେ ତାଙ୍କ ମାତାପିତା ଏବଂ ସ୍କୁଲ ପକ୍ଷରୁ ସହାୟତା କରାଯାଇଥିବା ଅନୁରାଗ କହିଛନ୍ତି। ଅନୁରାଗ ପିତାଙ୍କର ଏକ ଛୋଟ ଇଲେକ୍ଟ୍ରିକ୍‌ ଦୋକାନ ରହିଛି। ଏଥିରୁ ହେଉଥିବା ଆୟରେ ପରିବାର ଚଳିଥାଏ। ପିଏଚ୍‌ଡି ପରେ ସେ ଶିକ୍ଷକତା କରିବାକୁ ଚାହାଁନ୍ତି ବୋଲି ଅନୁରାଗ କହିଛନ୍ତି। ରିୟାଙ୍କ ପରେ ଦଶମ ବୋର୍ଡ ପରୀକ୍ଷାରେ ଅଭିମନ୍ୟୁ ବର୍ମା ୯୫.୮୩ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଅନୁରାଗଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ପ୍ରୟାଗରାଜର ପ୍ରାଞ୍ଜଲ ସିଂ ରହିଛନ୍ତି। ପ୍ରାଞ୍ଜଲ ୯୬ ପ୍ରତିଶତ ନମ୍ବର ରଖିଛନ୍ତି।

Share