Categories: ଜାତୀୟ

ପୋଲିସ ଚଢ଼ାଉ ବେଳେ ଚାଲିଗଲା ବ୍ୟବସାୟୀଙ୍କ ଜୀବନ

ଲକ୍ଷ୍ନୌ,୨୯।୯: ଉତ୍ତର ପ୍ରଦେଶର ଗୋରଖପୁରର ଏକ ହୋଟେଲରେ ସୋମବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ ବେଳେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିଲା। ଏଥିଯୋଗୁ ବୁଧବାର ୬ ପୋଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି।

ବୁଧବାର ସକାଳେ ମୃତ ବ୍ୟବସାୟୀଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ନିଲମ୍ବିତ ୬ ପୋଲିସକର୍ମୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଥିବା ଏକ ଟୁଇଟ୍‌ ଜରିଆରେ ଗୋରଖପୁର ପୋଲିସ ପକ୍ଷରୁ କୁହାଯାଇଛି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା କାରଣରୁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଉଥିବା ବେଳେ ପୋଲିସ ନିର୍ଯାତନା ଦେଇ ହତ୍ୟା କରିଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ମୃତକଙ୍କ ନାମ ମନୀଷ କୁମାର ଗୁପ୍ତା। ସେ ଉତ୍ତର ପ୍ରଦେଶର କାନପୁରର ବାସିନ୍ଦା। ସୋମବାର ମଧ୍ୟରାତିରେ ପୋଲିସର ଚଢ଼ାଉ ବେଳେ ମନୀଷ ଅନ୍ୟ ଦୁଇ ଜଣଙ୍କ ସହ ହୋଟେଲ ରୁମ୍‌ରେ ଥିଲେ।

“ଆମେ ସମସ୍ତେ ରୁମ୍‌ରେ ଶୋଇଥିଲୁ। ରାତି ପ୍ରାୟ ୧୨ଟା ୩୦ରେ ଡୋରବେଲ ବାଜିଲା। ମୁଁ ଡୋର ଖୋଲିଥିଲି। ସାମ୍ନାରେ ୫ରୁ ୭ ପୋଲିସକର୍ମୀଙ୍କ ସହ ରିସିପଶନ ବୟ ଛିଡ଼ା ହୋଇଥିଲେ। ସେମାନେ ଭିତରକୁ ଆସି ଆଇଡି (ପରିଚୟପତ୍ର) ମାଗିଥିଲେ। ମୁଁ ମୋର ଆଇଡି ଦେଖାଇବା ପରେ ମନୀଷଙ୍କୁ ଉଠାଇଥିଲି। ସେ ପୋଲିସକୁ ପଚାରିଥିଲେ, ଏତେ ରାତିରେ କ’ଣ ପାଇଁ ତାଙ୍କୁ ହଇରାଣ କରାଯାଉଛି। ତା’ପରେ ମଦ୍ୟପାନ କରିଥିବା ପୋଲିସକର୍ମୀ ଆମକୁ ଧମକାଇଥିଲେ। ମୋତେ ମାଡ଼ ମାରି ରୁମ୍‌ ବାହାରକୁ ନେଇଯାଇଥିଲେ। ପରେ ରକ୍ତରେ ଜୁଡୁବୁଡ ମନୀଷଙ୍କୁ ପୋଲିସ ଘୋଷାଡ଼ି ଘୋଷାଡ଼ି ନେଉଥିବା ଦେଖିଥିଲି ” ବୋଲି ରୁମରେ ଥିବା ହରବୀର ସିଂ କହିଛନ୍ତି।

ଅପରପକ୍ଷରେ ହୋଟେଲର ଉକ୍ତ ରୁମ୍‌ରେ ସନ୍ଦିଗ୍ଧ କାର୍ଯ୍ୟ ଚାଲିଥିବା ଖବର ପାଇ ହୋଟେଲ ମ୍ୟାନେଜରଙ୍କ ସହ ଚଢ଼ାଉ କରିଥିଲୁ। ଦୁର୍ଭାଗ୍ୟବଶତଃ, ଚଢ଼ାଉ ବେଳେ ଜଣେ ବ୍ୟକ୍ତି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବୋଲି ଗୋରଖପୁର ପୋଲିସ ମୁଖ୍ୟ ବିପିନ ତାଡା କହିଛନ୍ତି।

Share