‘ପରିଶ୍ରମ କଲୁ ହେଲେ ଭୋଟ ଆଣିପାରିଲୁ ନାହିଁ’

ନୂଆଦିଲ୍ଲୀ,୧୦।୩: ଉତ୍ତରପ୍ରଦେଶ ନିର୍ବାଚନରେ ଭାଜପା ଏକ ଐତିହାସିକ ବିଜୟ ହାସଲ କରିଛି। ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଦଳ ପୁନର୍ବାର କ୍ଷମତାକୁ ଫେରିବାକୁ ଯାଉଛି। ବର୍ତ୍ତମାନ ଭାଜପା ବିଜୟୀ ହୋଇଥିବା ବେଳେ ଏହି ନିର୍ବାଚନରେ କଂଗ୍ରେସକୁ ମାଟି କାମୁଡ଼ିବାକୁ ପଡ଼ିଛି। ଅର୍ଥାତ୍‌ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ୪୦୩ ମଧ୍ୟରୁ କେବଳ ୨ଟି ଆସନରେ କଂଗ୍ରେସ ଆଗୁଆ ରହିଛି। ଇତିମଧ୍ୟରେ କଂଗ୍ରେସର ଏହି ବିଫଳତାକୁ ନେଇ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରିୟଙ୍କା ଟୁଇଟ କରି ଲେଖିଛନ୍ତି, ଗଣତନ୍ତ୍ରରେ ଜନମତ ହେଉଛି ସର୍ବୋଚ୍ଚ। କଂଗ୍ରେସର କର୍ମକର୍ତ୍ତା ଓ ନେତାମାନେ କଠିନ ପରିଶ୍ରମ କରିଥିଲେ, ସଂଗଠନ ଗଠନ କରିବା ସହ ଲୋକଙ୍କ ପ୍ରସଙ୍ଗକୁ ନେଇ ସଂଘର୍ଷ ମଧ୍ୟ କରିଥିଲେ। କିନ୍ତୁ ଆମେ ଆମର କଠିନ ପରିଶ୍ରମକୁ ଭୋଟରେ ପରିଣତ କରିବାକୁ ସକ୍ଷମ ହୋଇପାରିଲୁ ନାହିଁ ବୋଲି ପ୍ର୍ରିୟଙ୍କା ଗାନ୍ଧୀ କହିଛନ୍ତି। କଂଗ୍ରେସ ଦଳ ଏକ ସକରାତ୍ମକ ଏଜେଣ୍ଡାକୁ ଅନୁସରଣ କରି ୟୁପିର ଉନ୍ନତି ତଥା ଜନସାଧାରଣଙ୍କ ମଙ୍ଗଳ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ସହିତ ସଂଘର୍ଷ କରୁଥିବା ବିରୋଧୀ ଦଳର କର୍ତ୍ତବ୍ୟ ପାଳନ ଜାରି ରଖିବ। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରିୟଙ୍କା ମହିଳା ଶକ୍ତି ଉପରେ ପୂର୍ଣ୍ଣ ଗୁରୁତ୍ୱ ଦେଇଥିଲେ। ୫୦ ପ୍ରତିଶତ ସିଟ୍‌ କେବଳ ମହିଳା ପ୍ରାର୍ଥୀଙ୍କୁ ଦିଆଯାଇଥିଲା। କିନ୍ତୁ ନିର୍ବାଚନ ଫଳାଫଳରୁ ଜଣାପଡ଼ୁଛି ଯେ, ଦଳର ଏହି ବାଜି ତାଙ୍କ ଉପରେ ଓଲଟ ପଡ଼ିଯାଇଛି।

Share