Categories: ଜାତୀୟ

ଉତ୍ତର ପ୍ରଦେଶ ବନ୍ୟାରେ ବିଗିଡିଲା ସ୍ଥିତି ୬୦୦ ଗାଁ ପ୍ରଭାବିତ, ୭ ମୃତ

ଲକ୍ଷ୍ନୌ,୯ ।୧୦: ଲଗାଣ ବର୍ଷା ଯୋଗୁ ଉତ୍ତର ପ୍ରଦେଶରେ ବନ୍ୟା ପରିସ୍ଥିତି ଜଟିଳ ହୋଇ ପଡିଛି । ରାପ୍ତି ନଦୀରେ ଆସିଥିବା ବନ୍ୟା ଫଳରେ ଶ୍ରାବସ୍ତି ଓ ବଳରାମପୁର ଜିଲା ପ୍ରଭାବିତ ହୋଇଛି । ଏପଟେ ସରଜୁ ନଦୀରେ ଆସିଥିବା ବନ୍ୟାରେ ପ୍ରାୟ ୬୦୭ ଗାଁ ପ୍ରଭାବିତ ହୋଇଥିବା କୁହାଯାଉଛି । ଶ୍ରାବସ୍ତୀରେ ଆସିଥିବା ବନ୍ୟା ପାଣିରେ ଶନିବାର ୪ ଜଣ ଭାସିଯାଇଥିବା ବଳେ ବହରାଇଚରେ ୩ ଜଣ ଲୋକ ବୁଡି ଯିବାରୁ ସେମାନଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଅନ୍ୟପଟେ ବଳରାମପୁରର କାଲିଆ ଥାନା ଅଞ୍ଚଳରେ ଶେଖନପୁରୱା ଗାଁରେ ଶନିବାର ବନ୍ୟା ପାଣିରେ ୩ ଜଣ କିଶୋର ଭାସି ଯାଉଥିବା ବେଳେ ଗାଁ ଲୋକେ କୌଣସି ପ୍ରକାରେ ଜଣକୁ ଉଦ୍ଧାର କରିଥିଲେ ବି ଏବେ ଅନ୍ୟ ୨ ଜଣ ନିଖୋଜ ଥିବା ଜଣାପଡିଛି ।
ରାପ୍ତିରେ ଆସିଥିବା ବନ୍ୟାରେ ଶ୍ରାବସ୍ତୀ ଜିଲାର ୧୨୨ ଗାଁ ପ୍ରଭାବିତ ହୋଇଛି । ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ୭,୨୩୮ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି । ଏହି ବନ୍ୟାରେ ପ୍ରାୟ ୯୩,୧୫୧ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ରାପ୍ତିରେ ଆସିଥିବା ବନ୍ୟା ଏଥର ତା’ର ପ୍ରାୟ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି ।

Share