Categories: ଜାତୀୟ

‘ବେରୋଜଗାର, ପେଟ୍ରୋଲ-ଡିଜେଲ, ଗ୍ୟାସ ମହଙ୍ଗା ପ୍ରସଙ୍ଗ ଉଠାଅ’

ଝାନ୍ସି,୬।୭: ସରକାରଙ୍କ ଲୋକ ବିରୋଧୀ ନୀତି ଯୋଗୁ ପୂରା ଦେଶ ପ୍ରଭାବିତ। ବେରୋଜଗାର, ପେଟ୍ରୋଲ-ଡିଜେଲ ଓ ରୋଷେଇ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କର। ଭାଜପା ସରକାର ଯୁବ ପୀଢ଼ି, ବେରୋଜଗାର ବ୍ୟକ୍ତି, ଦଳିତ ଓ ପଛୁଆ ବର୍ଗଙ୍କ ସହ ଅନ୍ୟାୟ କରିଛି। ପ୍ରଶ୍ନର ଉତ୍ତର ଦେବା ବଦଳରେ କେବଳ ମିଛ କହିଛି ଏହି ଦଳ। ଉତ୍ତରଦାୟିତ୍ୱକୁ ଖାତିର କରୁ ନାହିଁ ଭାଜପା। ଉତ୍ତର ପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦଳୀୟ କର୍ମୀଙ୍କ ପାଇଁ ମଙ୍ଗଳବାର ଆୟୋଜିତ ଏକ ଟ୍ରେନିଂ ପ୍ରୋଗ୍ରାମରେ ଭର୍ଚୁଆଲ ଯୋଗଦେଇ ଏଭଳି ଭାଜପା ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଡ୍ରା।

 

ପୂର୍ବରୁ ମଥୁରା ଓ ଲକ୍ଷ୍ନୌରେ ସମାନ ପ୍ରକାର ସେସନରେ ଯୋଗ ଦେଇଥିବା ପ୍ରିୟଙ୍କା ଦଳୀୟ କର୍ମୀଙ୍କୁ କହିଛନ୍ତି, ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତର ପ୍ରଦେଶ ସରକାରଙ୍କ ଏଜେଣ୍ଡା ହେଉଛି ଦଳିତ ଓ ପଛୁଆ ବର୍ଗଙ୍କୁ ଶୋଷଣ କରିବା। ରାଜ୍ୟରେ ଅପରାଧ ଶୀର୍ଷରେ ଅଛି। ପରିସ୍ଥିତିକୁ ଆହୁରି ବିସ୍ଫୋରକ କରିଦେଇଛି ଅପରାଧୀଙ୍କ ପ୍ରତି ସରକାରଙ୍କ ନିରବ ସମର୍ଥନ। ରାଜ୍ୟ ବାସୀଙ୍କ ଦୁଃଖରେ ଛିଡ଼ା ହୁଏ। ଭାଜପାକୁ ପଛରେ ପକାଇବା ପାଇଁ ପ୍ରତ୍ୟେକ କର୍ମୀଙ୍କୁ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ପଡ଼ିବ।

Share