ମେ’ ୨୪ ଯାଏ ବଢ଼ିଲା କରୋନା କର୍ଫ୍ୟୁ: ରାସ୍ତାକଡ଼ ଦୋକାନୀଙ୍କୁ ହଜାରେ, ଗରିବଙ୍କୁ ମିଳିବ ରାଶନ

ଲକ୍ଷ୍ନୌ,୧୬।୫: ଉତ୍ତରପ୍ରଦେଶରେ କରୋନାର ଦ୍ୱିତୀୟ ଲହର ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଦୈନିକ ସଂକ୍ରମଣ ହଜାର ହଜାର ସଂଖ୍ୟାରେ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ, ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ଜାଗା ମିଳୁ ନ ଥିବା ବେଳେ କରୋନା ରୋଗୀଙ୍କ ମୃତଦେହକୁ ଏଣେତେଣେ ଫୋପାଡ଼ି ଦିଆଯାଉଥିବା ନଜରକୁ ଆସିଛି। କରୋନା ମୁକାବିଲା ପାଇଁ ଉତ୍ତରପ୍ରଦେଶ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ଆୟତ୍ତ କରିବା ଲାଗି ଏବେ ମେ’ ୨୪ ପର୍ଯ୍ୟନ୍ତ କରୋନା କର୍ଫ୍ୟୁକୁ ବଢ଼ାଇ ଦିଆଯାଇଛି। ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ। ଏଥିସହ ଯୋଗୀ ସରକାର ପଞ୍ଚିକୃତ ଥିବା ରାସ୍ତାକଡ଼ ଦୋକାନୀଙ୍କୁ ମାସକୁ ୧୦୦୦ଟଙ୍କା ଓ ବିପିଏଲ୍‌ କାର୍ଡଧାରୀଙ୍କୁ ଶୁଖିଲା ରାଶନ ପ୍ରଦାନ କରିବେ ବୋଲି ସୂଚନା ରହିଛି। ଯେଉଁମାନଙ୍କର ବିପିଏଲ୍‌ କାର୍ଡ଼ ତିଆରି ହୋଇପାରିନାହିଁ ବା କରିନାହାନ୍ତି ସେମାନଙ୍କର କାର୍ଡ଼ ତିଆରି କରାଯିବା ସହ ୩ମାସର ରାଶନ ଯୋଗାଇଦେବେ ସରକାର। ଅନ୍ୟପଟେ ମେ’୨୦ରୁ ବୈଷୟିକ ଶିକ୍ଷା ବ୍ୟତୀତ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନରେ ଅନ୍‌ଲାଇନ କ୍ଲାସ ଆରମ୍ଭ ହେବାକୁଯାଉଛି।

Share