ମଧ୍ୟପ୍ରଦେଶ ରେକର୍ଡ ଭାଙ୍ଗିଲା ଉତ୍ତରପ୍ରଦେଶ: ଗୋଟିଏ ଦିନରେ ୨୭ଲକ୍ଷ ଟିକାକରଣ

ଲକ୍ଷ୍ନୌ,୪।୮: ଉତ୍ତରପ୍ରଦେଶର ଯୋଗୀ ସରକାର ଟିକାକରଣକୁ ନେଇ ଏକ ଇତିହାସ ରଚିଛନ୍ତି। ରାଜ୍ୟରେ ଅଗଷ୍ଟ ୩ରେ ଗୋଟିଏ ଦିନରେ ୨୭ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟିକା ଦିଆଯାଇଛି। ଯାହା ନିଜ ଭିତରେ ଏକ ରେକର୍ଡ ସୃଷ୍ଟି କରିଛି। ଏହାପୂର୍ବରୁ ମଧ୍ୟପ୍ରଦେଶ ଗୋଟିଏ ଦିନରେ ସର୍ବାଧିକ ଟିକାକରଣ କରାଇ ରେକର୍ଡ ସୃଷ୍ଟି କରିଥିଲା। ଗୋଟିଏ ଦିନରେ ମଧ୍ୟପ୍ରଦେଶରେ ୧୬ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିଲା। ତେବେ ଉତ୍ତରପ୍ରଦେଶ ସରକାର ଏହି ରେକର୍ଡକୁ ପଛରେ ପକାଇ ମଙ୍ଗଳବାର ଗୋଟିଏ ଦିନରେ ୨୭ଲକ୍ଷ ୩୪ହଜାର ୯୨୬ଲୋକଙ୍କୁ ଟିକା ଦେଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଭାକ୍ସିନ ଡ୍ରାଇଭ୍‌ରେ ୨୦ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ରାତି ମଧ୍ୟରେ ୨୭ଲକ୍ଷ ୩୪ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିଲା। ସମଗ୍ର ଦେଶରେ ଟିକାକରଣ କ୍ଷେତ୍ରରେ ଉତ୍ତରପ୍ରଦେଶ ଶୀର୍ଷରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫କୋଟି ୧୪ଲକ୍ଷ ୮୯ହଜାର ୩୦୯ଲୋକଙ୍କୁ ଟିକାକରଣ କରାଯାଇଛି। ତେବେ ଟିକାକରଣ କ୍ଷେତ୍ରରେ ଏପର୍ଯ୍ୟନ୍ତ କୌଣସି ରାଜ୍ୟ ଏଠାକୁ ପହଞ୍ଚିପାରିନାହିଁ। ସେଥିମଧ୍ୟରୁ ୮୦ଲକ୍ଷ ୧୪ହଜାରରୁ ଅଧିକ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଥିବା ବେଳେ ୪କୋଟିରୁ ଅଧିକ ଲୋକଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। କରୋନାର ସମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାଇବା ଉପରେ ଫୋକସ୍‌ କରିଛନ୍ତି ସରକାର। ତେଣୁ ଉତ୍ତରପ୍ରଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ କାର୍ଯ୍ୟ ଚାଲିଛି।

Share