Categories: ଜାତୀୟ

ପ୍ରତ୍ୟେକ ଶନିବାର ଯୁବକଙ୍କୁ ୭ ଥର କାମୁଡ଼ିଲା ସାପ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଫତେହପୁର, ୧୩।୭: ଉତ୍ତର ପ୍ରଦେଶର ଫତେହପୁରରେ ବିକାଶ ଦୁବେ(୨୪) ନାମକ ଜଣେ ଯୁବକଙ୍କୁ ୪୦ ଦିନ ମଧ୍ୟରେ ୭ ଥର ସାପ କାମୁଡ଼ିଛି। ପ୍ରତ୍ୟେକଥର ସାପ କାମୁଡ଼ିବା ପରେ ସେ ଜିଲାର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି ହେବା ସହ ମାତ୍ର ଦିନକ ମଧ୍ୟରେ ଆରୋଗ୍ୟ ଲାଭ କରନ୍ତି। ତେବେ ବାରମ୍ବାର ସାପ କାମୁଡ଼ୁଥିବାରୁ ଏହାର ଚିକିତ୍ସାରେ ସେ ଅତ୍ୟଧିକ ଅର୍ଥ ହରାଇ ସାରିଥିବା ବିକାଶ କହିଛନ୍ତି। ତେଣୁ ସେ ଶୁକ୍ରବାର ଜିଲା ପ୍ରଶାସନଠାରୁ ଆର୍ଥିକ ସହାୟତା ଲାଗି ଗୁହାରି କରିଛନ୍ତି।

ଏହାସହ ନବମ ଥର ସର୍ପ ଦଂଶନର ଶିକାର ହେଲେ ତାଙ୍କର ମୃତ୍ୟୁ ଘଟିବ ବୋଲି ସେ ସ୍ବପ୍ନ ଦେଖିଥିବା ବିକାଶ ଭୟବୀତ ହୋଇ କହିଛନ୍ତି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଫତେହପୁର ଜିଲା ପ୍ରଶାସନ ଆଲର୍ଟ ମୋଡ୍‌କୁ ଆସିଛି। ଘଟଣାକୁ ନେଇ ଫତେହପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ରାଜୀବ ନୟନ ଗିରି କହିଛନ୍ତି, ବିକାଶଙ୍କୁ ପ୍ରତ୍ୟକ ଶନିବାର ସାପ କାମୁଡ଼ୁଥିବାର ରିପୋର୍ଟ ମିଳିଛି। ସାପ କାମୁଡ଼ିବା ପରେ ସମସ୍ତ ଥର ସେ ସମାନ ପ୍ରାଇଭେଟ୍‌ ହସ୍ପିଟାଲରେ ଭର୍ତ୍ତି ହେବା ସହ ମାତ୍ର ଗୋଟିଏ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରୁଛନ୍ତି, ଯାହା ଏକ ଆଶ୍ଚର୍ଯ୍ୟକର ଘଟଣା।

ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ତଦନ୍ତ ପାଇଁ ଶନିବାର ୩ ଜଣିଆ ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍‌ ଗଠନ କରାଯାଇଛି। ମାମଲାର ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଏହି ତଦନ୍ତ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ହିଁ ଘଟଣାର ସତ୍ୟତା ସାମ୍‌ନାକୁ ଆସିବ। ପ୍ରତି ଶନିବାର ସାପ କାମୁଡ଼ୁଥିବା ଘଟଣାକୁ ନେଇ ଗିରି କହିଛନ୍ତି, ପ୍ରକୃତରେ ବିକାଶଙ୍କୁ ସାପ କାମୁଡ଼ୁଛି ନା ତାଙ୍କ ସହ ଆଉ କ’ଣ ଘଟୁଛି ତାହା ତଦନ୍ତ ପରେ ଜଣାପଡ଼ିବ। ତଦନ୍ତରେ ବିକାଶଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଦକ୍ଷତା ମଧ୍ୟ ପରଖାଯିବ।

Share