Categories: ଜାତୀୟ

ମୃତ ଘୋଷିତ ହେବାର ଦିନକ ପରେ ଜୀବନ୍ତ ହୋଇଉଠିଲେ

ନୂଆଦିଲ୍ଲୀ,୨୧।୧୧: ଜଣେ ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ମୃତଦେହକୁ ହସ୍ପିଟାଲର ଶବଗୃହ ଫ୍ରିଜରରେ ରଖାଯାଇଥିଲା। କିନ୍ତୁ ଫ୍ରିଜରରେ ଗୋଟିଏ ରାତି ରହିବା ପରେ ସେ ଜୀବନ୍ତ ହୋଇଉଠିଥିଲେ। ଏପରି ଚକିତ କଲା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ମୋରାଦାବାଦରେ।

ମୋରାଦାବାଦ୍‌ରେ ୪୫ ବର୍ଷୀୟ ଶ୍ରୀକେଶ କୁମାର ଗତ ଶୁକ୍ରବାର ସଡ଼କ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ଲାଗି ବେସରକାରୀ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା।

ଏମରଜେନ୍ସି ମେଡିକାଲ ଅଫିସର ଶ୍ରୀକେଶଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। କିନ୍ତୁ ଜୀବିତ ଥିବାର କୌଣସି ଲକ୍ଷଣ ଦେଖିବାକୁ ନ ମିଳବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୬ ଘଣ୍ଟା ପରେ ପରିବାର ଲୋକଙ୍କ ସହ ହସ୍ପିଟାଲରେ ପହଞ୍ଚିଥିଲା ପୋଲିସ। ବ୍ୟବଚ୍ଛେଦ ପାଇଁ ନିଆଗଲା ବେଳେ ସେ ଜୀବିତ ଥିବା ଜଣାପଡ଼ିଥିଲା। ଏହା ଚମତ୍କାର ଠାରୁ କମ୍‌ ନୁହେଁ ବୋଲି ହସ୍ପିଟାଲର ମେଡିକାଲ ସୁପ୍ରିଟେନଡେଣ୍ଟ ରାଜେନ୍ଦ୍ର କୁମାର କହିଛନ୍ତି।

ଶ୍ରୀକେଶ ଜୀବିତ ଥିବା ଜଣାପଡ଼ିବା ପରେ ତାଙ୍କର ଅଧିକ ଚିକିତ୍ସା ଚାଲିଛି। କିନ୍ତୁ ସେ ଏବେ କୋମାରେ ଅଛନ୍ତି। ତେବେ ଜୀବିତ ଥିବା ଲୋକଙ୍କୁ କେଉଁ ଭଳି ଡାକ୍ତର ମୃତ ଘୋଷଣା କଲେ, ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Share