Categories: ଜାତୀୟ

ସନ୍ଦେହର ପରିଣାମ: ପତ୍ନୀ, ଦୁଇ ଝିଅଙ୍କୁ ହାତୁଡ଼ିରେ ଛେଚି ଛେଚି ହତ୍ୟା

ବୁଲନ୍ଦଶାହର,୩।୩ : ସନ୍ଦେହର ପରିଣାମ କେତେ ଯେ, ଭୟଙ୍କର ତାହାର ଆକଳନ କରିବା କଷ୍ଟକର। ଉତ୍ତର ପ୍ରଦେଶର ବୁଲନ୍ଦଶାହରରେ ଏକ ଘଟଣା ସାମ୍ନାକୁ ଆସିଛି। ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ପତ୍ନୀ ଓ ଦୁଇ ଝିଅଙ୍କୁ ହାତୁଡ଼ିରେ ଛେଚି ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସ୍ବାମୀ। ତେବେ ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ତୃତୀୟ ଝିଅ। ମିରଟ ଜିଲାର ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିବା ବୁଧବାର ସ୍ପଷ୍ଟ କରିଛି ପୋଲିସ।

ଏହି ଘଟଣା ଆମ୍ବେଡକର ନଗର କଲୋନିରେ ଘଟିଛି। ସ୍ତ୍ରୀଙ୍କ ବୟସ ୫୦ କୁହାଯାଉଥିବାବେଳେ ଦୁଇ ମୃତ ଝିଅଙ୍କ ବୟସ ଯଥାକ୍ରମେ ୨୦ ଓ ୧୫। ଚିକିତ୍ସା ଚାଲିଥିବା ଝିଅର ବୟସ ୧୮ ବୋଲି ପୋଲିସ ଅଧିକାରୀ ସନ୍ତୋଷ କୁମାର ସିଂ କହିଛନ୍ତି। ବାହାରେ ପତ୍ନୀ ସହ ରହୁଥିବା ମୃତ ମହିଳାଙ୍କ ୨୨ ବର୍ଷୀୟ ପୁଅ ଏ ଘଟଣା ସମ୍ପର୍କରେ ପୋଲିସରେ ଅଭିଯୋଗ କରିଥିଲେ। “ମା ଓ ଭଉଣୀଙ୍କ ବାହାରେ ଲୋକଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରୁଥିଲେ ବାପା। ଏ ନେଇ ମଙ୍ଗଳବାର ରାତିରେ ଝଗଡ଼ା ହୋଇଥିଲା। ମା’ ଓ ଭଉଣୀମାନେ ଶୋଇ ପଡ଼ିବା ପରେ ବାପା ହାତୁଡିରେ ଛେଚି ଛେଚି ସମସ୍ତଙ୍କୁ ହତ୍ୟା କରିଛନ୍ତି ” ବୋଲି ଏସ୍‌ଏସ୍‌ପି ସିଂ କହିଛନ୍ତି।

Share