Categories: ଜାତୀୟ

ନବ ବିବାହିତ ଯୋଡିଙ୍କୁ ରୋଜଗାର ଦେବେ ସରକାର

ଲକ୍ଷ୍ନୌ,୧୫ ।୧୨: ଉତ୍ତର ପ୍ରଦେଶର ପରିବହନ ରାଜ୍ୟମନ୍ତ୍ରୀ ଦୟାଶଙ୍କର ସିଂ କହିଛନ୍ତି ରାଜ୍ୟ ସରକାର ନବ ବିବାହିତ ଯୋଡିଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ଚାକିରି ଓ ରୋଜଗାର ଯୋଗାଇ ଦେବେ । ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂ ବୁଧବାର ବଲିୟା ଜିଲାର ବାଂସଡିହ ପିଜି କଲେଜରେ ସମାଜ କଲ୍ୟାଣ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅନ୍ତର୍ଗତ ଆୟୋଜିତ ସମାରୋହରେ ଲୋକଙ୍କୁ ସମ୍ବୋଧନ ଦେବା ଅବସରରେ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିବା ଦୟାଶଙ୍କର ସିଂ କହିଛନ୍ତି, ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଅଧିନରେ ଗରିବ ପରିବାରର ଯୁବକ ଯୁବତିଙ୍କ ବିବାହ କରୁଛନ୍ତି । ସାମୁହିକ ବିବାହ ପରେ ସରକାର ଏହି ନବ ବିବାହିତ ଯୋଡିଙ୍କୁ ସେମାନଙ୍କ ଯୋଜନା ଅନୁସାରେ ଚାକିରି ଅବା ରୋଜଗାର ଦେଉଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସାଧାରଣ ଜନତାଙ୍କୁ ବିକାଶର ପଥରେ ଆଗକୁ ବଢାଇବା ସହ ସେମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଲାଭାନ୍ୱିତ କରାଯାଉଛି ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଗରିବ ସୀମାରେଖା ତଳେ ରହୁଥିବା ପରିବାର ବିପିଏଲ କାର୍ଡଧାରୀ ପରିବାରରେ ଥିବା ଝିଅ, ବିଧବା ମହିଳା, ବିବାହ ବିଚ୍ଛେଦ ହୋଇଥିବା ମହିଳାଙ୍କ ବିବାହରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଆରମ୍ଭ କରାଯାଇଥିଲା ।

Share