Categories: ଜାତୀୟ

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି

ଲକ୍ଷ୍ନୌ,୪।୧: ୟୁପିର ପୌର ନିର୍ବାଚନରେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ନିର୍ବାଚନକୁ ନେଇ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଜାନୁଆରୀ ୩୧ ପୂର୍ବରୁ ପୌର ନିର୍ବାଚନ କରାଯିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଉପରେ ପ୍ରତିବନ୍ଧକ ଜାରି ରହିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ପିଏସ ନରସିମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଓବିସି ସଂରକ୍ଷଣ ସହ ନିର୍ବାଚନ କରିବାକୁ ଅନୁମତି ଦେଇଛନ୍ତି। ଉତ୍ତରପ୍ରଦେଶ ସରକାରଙ୍କ ନିକଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ସୂଚନା ଦେଇଛନ୍ତି, ଓବିସି ବର୍ଗଙ୍କ ପଛୁଆ ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ଏକ ଆୟୋଗ ଗଠନ କରିଛନ୍ତି। ଏହି ଆୟୋଗର କାର୍ଯ୍ୟକାଳ ୬ ମାସ ଅଟେ। ମାର୍ଚ୍ଚ ୩୧ ସୁଦ୍ଧା ଆୟୋଗ ଏହାର ରିପୋର୍ଟ ଦାଖଲ କରିବାକୁ ପ୍ରୟାସ କରାଯିବ।
ପ୍ରାୟ ୧୦ ମିନିଟର ସଂକ୍ଷିପ୍ତ ଶୁଣାଣି ପରେ ସୁପ୍ରିମକୋର୍ଟ ଜାନୁଆରୀରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ସ୍ଥଗିତ ରଖିଥିଲେ। କୋର୍ଟ କହିଛନ୍ତି ଯେ, ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ପ୍ରଶାସନିକ କମିଟି ସ୍ଥାନୀୟ ସଂସ୍ଥାର ଆବଶ୍ୟକ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଏକ ଆଦେଶ ଜାରି କରିପାରିବେ। ଏହା ପରେ ୟୁପି ସରକାରଙ୍କ ଆବେଦନ ଉପରେ କୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୩ ସପ୍ତାହ ପରେ ହେବ।
ସୂଚନାଯୋଗ୍ୟ, ୟୁପି ସରକାରଙ୍କୁ ଅନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ନ କରି ନିର୍ବାଚନ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ୩୧ ଜାନୁଆରୀ ପର୍ଯ୍ୟନ୍ତ ସମୟସୀମା ଦିଆଯାଇଥିଲା। ଏହା ପରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଏହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ।

Share