Categories: ଜାତୀୟ

ଇଭିଏମ୍‌ ଚୋରି ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଇସି

ଲକ୍ଷ୍ନୌ,୯।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଭୋଟ ଗଣତିର ୪୮ ଘଣ୍ଟା ପୂର୍ବରୁ ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ୍ସ (ଇଭିଏମ୍‌) ଚୋରି ଘଟଣାରେ ସମ୍ପୃକ୍ତ ବରିଷ୍ଠ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯିବ। ଟ୍ରେନିଂ ଇଭିଏମ୍‌ ପରିବହନ ନିୟମ ଭଙ୍ଗ ହୋଇଥିବାରୁ ବାରଣାସୀର ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌ ଏନ୍‌ କେ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ (ଇସି)। ତେବେ ଗତ ମଙ୍ଗଳବାର ସନ୍ଧ୍ୟାରେ ଇଭିଏମ୍‌ ପରିବହନରେ ତ୍ରୁଟି ହୋଇଥିବା ବାରଣାସୀ ପୋଲିସ କମିଶନର ସ୍ବୀକାର କରିଥିଲେ।

ବୁଧବାର ଜାରି କରାଯାଇଥିବା ବିଜ୍ଞପ୍ତିରେ ଜିଲା ମାଜିଷ୍ଟ୍ରେଟ୍‌ କୌଶଲ ରାଜ ଶର୍ମା କହିଛନ୍ତି, ଇଭିଏମ୍‌କୁ ଆଜି ସକାଳେ ନିଆଯିବାର ଥିଲା। କିନ୍ତୁ ଏବେ ସସ୍‌ପେଣ୍ଡ ହୋଇଥିବା ଅଧିକାରୀ ବିନା କାହାକୁ ସୂଚନା ଦେଇ ମଙ୍ଗଳବାର ମେସିନ ନେଇ ଯାଇଥିଲେ।

ସମାଜବାଦୀ ପାର୍ଟି (ସପା)ର କିଛି ଦଳୀୟ କର୍ମୀ ବାରଣାସୀରେ ଭୋଟିଂ ମେସିନ ନେଇ ଯାଉଥିବା ଟ୍ରକ୍‌କୁ ରୋକିବା ପରେ ଅଖିଳେଶ ଯାଦବ ଶାସକ ଦଳ ବିରୋଧରେ ନିର୍ବାଚନ ଚୋରି ଅଭିଯୋଗ ଆଣିଥିଲେ। ନିୟମ ଅନୁଯାୟୀ ଷ୍ଟ୍ରଙ୍ଗ୍‌ ରୁମ୍‌ରୁ ଟ୍ରେନିଂ କିମ୍ବା ରିଜର୍ଭ ରଖାଯାଇଥିବା ମେସିନ ବାହାରକୁ ନିଆଗଲେ ସମସ୍ତ ପ୍ରାର୍ଥୀଙ୍କୁ ସୂଚିତ କରାଯାଏ। କିନ୍ତୁ ଏଠାରେ ସେଭଳି କିଛି କରାଯାଇ ନ ଥିବା ଦର୍ଶାଇ ନିର୍ବାଚନ ଆୟୋଗ (ଇସି) ନିକଟରେ ସପା ପକ୍ଷରୁ ଅଭିଯୋଗ କରାଯାଇଛି।

Share