Categories: ଜାତୀୟ

ପଞ୍ଚମ ପର୍ଯ୍ୟାୟରେ ୫୩.୯୩% ମତଦାନ

ଲକ୍ଷ୍ନୌ,୨୭।୨ ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ବିଧାନସଭାର ୬୧ ଆସନ ଲାଗି ରବିବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା ସୁଦ୍ଧା ୫୩.୯୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ପର୍ଯ୍ୟାୟରେ ୬୯୨ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ପ୍ରତାପଗଡ଼ର କୁନ୍ଦା ଆସନ ବ୍ୟତୀତ ଅନ୍ୟତ୍ର ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। କୁନ୍ଦା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଗୁଲଶନ ଯାଦବଙ୍କ ଗାଡ଼ି ଉପରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଯାଦବ ସାମାନ୍ୟ ଆହତ ହୋଇଥିବା ଦଳୀୟ କର୍ମୀମାନେ କହିଛନ୍ତି। ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇଛି।

ପଞ୍ଚମ ପର୍ଯ୍ୟାୟରେ ୨.୨୪ କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ଥିବାବେଳେ ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିଲା। ଅପରାହ୍ନ ୫ଟା ସୁଦ୍ଧା ଆମେଠିରେ ୫୨.୮୨% ମତଦାନ ହୋଇଥିବା ବେଳେ ଅଯୋଧ୍ୟାରେ ୫୮.୬୦୧ ପ୍ରତିଶତ, ପ୍ରୟାଗରାଜରେ ୫୧.୨୯% ଏବଂ ରାଏବରେଲିରେ ୫୬.୦୬% ଭୋଟ ପଡ଼ିଛି। ଏହି ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ, ରାଜେନ୍ଦ୍ର ସିଂ ଓରଫ ମୋତି ସିଂ, ନନ୍ଦଗୋପାଳ ଗୁପ୍ତା ନାଦି, ରାମପତି ଶାସ୍ତ୍ରୀ, ଜନସତ୍ତା ଦଳର ଟାଣୁଆ ନେତା ରଘୁରାଜ ପ୍ରତାପ ସିଂ ଓରଫ ରାଜା ଭୈୟା ଏବଂ ଅପ୍‌ନା ଦଳ(କେ) ନେତ୍ରୀ କ୍ରିଷ୍ଣା ପଟେଲ।

Share