Categories: ଜାତୀୟ

ରିକ୍ସା ଚାଳକଙ୍କ ନାମରେ ଆସିଲା ୩ କୋଟି ଟଙ୍କାର ଟ୍ୟାକ୍ସ ଠକେଇ

ମଥୁରା,୨୫।୧୦: ଉତ୍ତରପ୍ରଦେଶ ମଥୁରାର ଜଣେ ରିକ୍ସା ଚାଳକଙ୍କୁ ଆୟକର ବିଭାଗ ୩ କୋଟି ଟଙ୍କାର ଟିକସ୍‌ ଦେବାକୁ ନୋଟିସ ଜାରି କରିଛି। ଏହି ନୋଟିସ ପାଇବା ପରେ ରିକ୍ସା ଚାଳକ ଜଣକ ଅଡୁଆରେ ପଡିଛନ୍ତି। ରିକ୍ସା ଚାଳକ ବାକଲପୁର ଅଞ୍ଚଳ ଅମର କଲୋନୀ ନିବାସୀ ପ୍ରତାପ ସିଂ ନୋଟିସର ଯାଞ୍ଚ ନେଇ ସ୍ଥାନୀୟ ହାଇୱେ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ।

ଅନ୍ୟପକ୍ଷେ ପ୍ରତାପ ସୋସିଆଲ ମିଡିଆରେ ଏକ ଭିଡିଓ ଅପ୍‌ଲୋଡ କରି ଘଟଣା ବିଷୟରେ କହିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ସେ ବାକଲପୁର ସ୍ଥିତ ଏକ ଜନସୁବିଧା କେନ୍ଦ୍ରରେ ପାନକାର୍ଡ ପାଇଁ ଆବେଦନ କରିଥିଲେ । କାରଣ ବ୍ୟାଙ୍କ ତାଙ୍କୁ ପାନକାର୍ଡ ଜମା କରିବାକୁ କହିଥିଲା । ହେଲେ ଜନ ସୁବିଧା କେନ୍ଦ୍ର ପକ୍ଷରୁ ତାଙ୍କୁ ମାସେ ମଧ୍ୟରେ ପାନକାର୍ଡ ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ତାହା ଆସି ନ ଥିଲା। ପ୍ରତାପ ବାରମ୍ବାର ପାନକାର୍ଡ ପାଇଁ ଜନସୁବିଧା କେନ୍ଦ୍ରକୁ ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପାନକାର୍ଡର ଏକ କଲର ପ୍ରିଣ୍ଟ ଦିଆଯାଇଥିଲା। କିନ୍ତୁ ତାହା ଓରିଜିନାଲ କି ଫେକ୍‌ ସେ ଜାଣି ପାରି ନ ଥିଲେ। ପ୍ରତାପଙ୍କୁ ଯେତେବେଳେ ଆଇଟି ଡିପାର୍ଟମେଣ୍ଟରୁ କଲ ଆସିଥିଲା ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆୟକର ବିଭାଗ ପ୍ରତାପଙ୍କୁ ୩,୪୭,୫୪,୮୯୬ ଟଙ୍କା ଦେବାକୁ କହିଥିଲେ । ପ୍ରତାପ ଯେତେବେଳେ କହିଥିଲେ, ସେ ଜଣେ ରିକ୍ସା ଚାଳକ ତାଙ୍କ ନାମରେ ଏତେ ଟଙ୍କାର ନୋଟିସ ଆସିଲା କିପରି ବୋଲି ପ୍ରଶ୍ନ କରିଛନ୍ତି।

Share