Categories: ଜାତୀୟ

ପରସ୍ପରକୁ ବିବାହ କଲେ ଭାଇଭଉଣୀ, କାରଣ ଜାଣିବା ପରେ SDMଙ୍କୁ ଅଭିଯୋଗ କଲେ ପଡ଼ୋଶୀ

ଲକ୍ଷ୍ନୌ,୮।୧୦: ଉତ୍ତରପ୍ରଦେଶର ହାଥରସ୍‌ ଜିଲାରୁ ଚମକାଇବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଭାଇଭଉଣୀ ସାମୂହିକ ବିବାହ ଯୋଜନା ଅଧିନରେ ପରସ୍ପରକୁ ବିବାହ କରିନେଇଛନ୍ତି। ଅବିଶ୍ୱସନୀୟ ହେଲେ ମଧ୍ୟ ଏହା ସତ ଯେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅଧିନରେ ଜଣେ ଭାଇ ନିଜ ଭଉଣୀଙ୍କୁ ବିବାହ କରିଥିଲେ। ଏହା ପଛର କାରଣ ଜଣାପଡ଼ିବା ପରେ ହଙ୍ଗାମା ଦେଖିବାକୁ ମିଳିଛି। ପଡ଼ୋଶୀ ଏସ୍‌ଡିଏମ୍‌ଙ୍କ ନିକଟରେ ପହଞ୍ଚି ମାମଲା ନେଇ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା ଅଧିନରେ ମିଳୁଥିବା ସରକାରୀ ଲାଭ ଉଠାଇବା ଲାଗି ଜଣେ ଭାଇ ନିଜ ଭଉଣୀଙ୍କୁ ବିବାହ କରିଛନ୍ତି। କାରଣ ଏହି ଯୋଜନାରେ ବଧୂଙ୍କୁ ୩୫ ହଜାର ଟଙ୍କା, ନବଦମ୍ପତିଙ୍କ ଲାଗି ୧୦ ହଜାର ଟଙ୍କାର ଆବଶ୍ୟକୀୟ ଜିନିଷ, ବିବାହ ଲାଗି ୬ ହଜାର ଟଙ୍କାର ଖର୍ଚ୍ଚ ମିଳିଥାଏ। ଏହାକୁ ପାଇବାକୁ ଲୋଭ କରି ଭାଇଜଣଙ୍କ ଏଭଳି କାଣ୍ଡ ଘଟାଇଛନ୍ତି। ଏନେଇ ସ୍ଥାନୀୟ ଲୋକ ଜାଣିବା ପରେ ଏସ୍‌ଡିଏମ୍‌ଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣା ନେଇ ଜାଣିବା ପରେ ଏସ୍‌ଡିଏମ୍‌ ବେଦ ସିଂ ଚୌହ୍ବାନ ବିସ୍ତୃତ ଯାଞ୍ଚର ଆଦେଶ ଦେଇଛନ୍ତି। ଏଥିସହ ଦୋଷୀ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

କହିରଖୁଛୁ,ହାଥରସ୍‌ରେ ଡିସେମ୍ବର ୧୫,୨୦୨୩ରେ ୨୧୭ ଯୋଡ଼ି ସାମୂହିକ ବିବାହ କରିଥିଲା। ଏହି ସମୟରେ ଏହି ଭାଇଭଉଣୀ ବିବାହ କରିଥିବା ଜଣାପଡ଼ିଛି। ତେବେ ସରକାରୀ ଲାଭ ଉଠାଇବା ଲାଗି ମିଛ ବିବାହ ଘଟଣା ପ୍ରଥମ ହୋଇ ନ ଥିଲେ ହେଁ ଜଣେ ଭାଇ ନିଜ ଭଉଣୀଙ୍କୁ ବିବାହ କରିବା ଘଟଣା ଚକିତ କରୁଛି। କେବଳ ଏତିକି ନୁହେଁ କିଛି ଲୋକେ ଏଥିଲାଗି ଦ୍ୱିତୀୟ ବିବାହ କରିବାକୁ ମଧ୍ୟ ପଛାଉ ନାହାନ୍ତି।

Share