ସନ୍ଧ୍ୟା ୬ଟା ସୁଦ୍ଧା ୟୁପିରେ ୬୨%, ଗୋଆରେ ୭୮%, ଉତ୍ତରାଖଣ୍ଡରେ ୬୨ପ୍ରତିଶତରୁ ଉର୍ଦ୍ଧ୍ୱ ମତଦାନ କରିଛନ୍ତି ଭୋଟର

ଲକ୍ଷ୍ନୌ/ପଣାଜି/ଡେରାଡୁନ,୧୪।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ଓ ଉତ୍ତରାଖଣ୍ଡ-ଗୋଆର ସମସ୍ତ ଆସନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଥିଲା। ଗୋଆରେ ୭୦ଟି ବିଧାନସଭା ଆସନ ପାଇଁ ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୬୨.୨୨ ପ୍ରତିଶତ ମତଦାନ ଗ୍ରହଣ କରାଯାଇଛି। ସନ୍ଧ୍ୟା ୬ଟା ସୁଦ୍ଧା ଉତ୍ତରାଖଣ୍ଡରେ ୬୨.୫ ପ୍ରତିଶତ ଓ ଗୋଆରେ ୭୮.୯୪ ପ୍ରତିଶତ ଭୋଟ ଦିଆଯାଇଥିବା ସୂଚନା ମିଳିଛି। ତେବେ ଉତ୍ତରପ୍ରଦେଶର କେତେକ ସ୍ଥାନରେ ମନ୍ଥର ଗତିରେ ମତଦାନ ହେବା ସହ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବା ଖବର ରହିଛି। ବିଦ୍ୟୁତ୍‌ ନ ଥିବାରୁ ମୁରଦାବାଦର ରାକଲା ପିଢ଼ି ଗର୍ଲ ସେଣ୍ଟର କଲେଜରେ ମତଦାନ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା। ଭୋଟରମାନେ ଅଧ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ୍‌କୁ ଅପେକ୍ଷା କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟୁତ୍‌ ସେବାର ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନ୍ୟପଟେ ରାମପୁର ବିଧାନସଭା ଆସନରୁ ୫୬.୨ ପ୍ରତିଶତ ଭୋଟ ଗ୍ରହଣ କରାଯାଇଛି। ଏହି ଆସନରୁ ଆଜମ ଖାନ ଏସ୍‌ପିର ପ୍ରାର୍ଥୀ ରହିଛନ୍ତି। ସେହିପରି ସ୍ବାର ବିଧାନସଭା ଆସନରୁ ୫୪.୧୩ପ୍ରତିଶତ ଭୋଟ ଦିଆଯାଇଥିଲା। ଯେଉଁଠାରୁ ଆଜମ ଖାନଙ୍କ ପୁଅ ଅବଦୁଲ୍ଲା ଏସ୍‌ପିର ପ୍ରାର୍ଥୀ ରହିଛନ୍ତି। ତେବେ ଉତ୍ତର ଗୋଆ ବିଷୟରେ କହିବାକୁ ଗଲେ ସନ୍ଧ୍ୟା ୬ଟା ସୁଦ୍ଧା ୭୫.୩୩ ପ୍ରତିଶତ ଏବଂ ଦକ୍ଷିଣ ଗୋଆରେ ୭୫.୨୬ ପ୍ରତିଶତ ଭୋଟ ଦିଆଯାଇଥିବା ଜଣାପଡ଼ିଛି।

Share