ଅନୁପସ୍ଥିତ ଥିଲେ ସିଡିପିଓ, ଛତୁଆ କେନ୍ଦ୍ରରେ ହଠାତ୍‌ ପହଞ୍ଚିଲେ ଉପଜିଲାପାଳ, ଆଉ ତା’ପରେ…

କୋକସରା,୨୩।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ରାଜ୍ୟରେ ଗର୍ଭବତୀ, ଶିଶୁ, କିଶୋରୀ ବାଳିକାଙ୍କୁ କୁପୋଷଣ, ଅପପୃଷ୍ଟିରୁ ରୋକିବା ପାଇଁ ବିଗତ ରାଜ୍ୟ ସରକାରଙ୍କ ପକ୍ଷରୁ ଛତୁଆ ଯୋଜନା ଆରମ୍ଭ କରାଯାଇଛି। ତେବେ ରାଜ୍ୟରେ ମିଳୁଥିବା ଛତୁଆ ଖାଦ୍ୟ ଉପଯୋଗୀ ନ ହୋଇ ନିମ୍ନମାନର ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ ଭାଜପା ସରକାରଙ୍କ ଅନେକ ମନ୍ତ୍ରୀ, ବିଧାୟକ ବିଧାନସଭାରେ ଛତୁଆର ମାନକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ ପ୍ରଶାସନିକସ୍ତରରେ ଅଧିକାରୀମାନେ ବିଭିନ୍ନ ଛତୁଆ ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରର ପରିବେଶ ଏବଂ ଛତୁଆରମାନ ପରୀକ୍ଷା କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ସୋମବାର ଧର୍ମଗଡ଼ ଉପଜିଲାପାଳ ଧୀମାନ ଚକମା କୋକସରା ବ୍ଲକ ଜନ ଶୁଣାଣି ଶିବିରରେ ଯୋଗ ଦେବାକୁ ଆସିଥିବା ବେଳେ କୋକସରା ବ୍ଲକରେ ଛତୁଆ ଯୋଗାଣ କରୁଥିବା ମା’ ଲଙ୍କେଶ୍ୱରୀ ସ୍ବୟଂ ସହାୟକ ଗୋଷ୍ଠି ଦ୍ୱାରା କାଉଡୋଳାରେ ପ୍ରସ୍ତୁତ ହେଉଥିବା ଥିବା ଛତୁଆ କେନ୍ଦ୍ର ପରିଦର୍ଶନ କରିଥିଲେ। ଏପରିକି ଛତୁଆରେ ମିଶୁଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀର ନିରୀକ୍ଷଣ କରିଥିଲେ। ତେବେ ତାଙ୍କ ଗସ୍ତ ସମୟରେ କୋକସରା ସିଡିପିଓ ଅନୁପସ୍ଥିତ ଥିବାରୁ ସୁପରଭାଇଜର ଦ୍ରୌପଦି ମାଝୀ ଓ ପ୍ରଭାସିନୀ ତାଣ୍ଡିଙ୍କୁ ସିଡିପିଓ କାହିଁକି ଅନୁପସ୍ଥିତ ଅଛନ୍ତି ବୋଲି ପ୍ରଶ୍ନ କରି ଅସନ୍ତୋଷ ପ୍ରକାଶ କରିଥିଲେ। ଉପଜିଲାପାଳଙ୍କ ସହ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ, ତହସିଲଦାର ନବୀନ କିଶୋର ପାଢ଼ୀ, ବିଏସ୍‌ଏସ୍‌ଓ ଦୀପକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Share