ସାଇବର ଠକଙ୍କ ହାତରେ ୟୁପିଆଇ

ଭୁବନେଶ୍ୱର ୧୯।୯ (ବ୍ୟୁରୋ):ଆପଣଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ଉଭାନ ହୋଇଯାଇପାରେ ଟଙ୍କା। କାରଣ ସାଇବର ଠକଙ୍କ ହାତକୁ ଚାଲିଯାଇପାରେ ଟଙ୍କା ଟ୍ରାନ୍ସଫର ପାଇଁ ବ୍ୟବହୃତ ହେଉଥିବା ୟୁପିଆଇ ନମ୍ବର। ଏପରି ଭାବେ ଭୁବନେଶ୍ୱରରେ ଜଣେ ରାଜମିସ୍ତ୍ରୀଙ୍କ ଆକାଉଣ୍ଟ୍‌ରୁ ୟୁପିଆଇ ମାଧ୍ୟମରେ ସାଇବର ଠକେଇ ଟଙ୍କା ଟ୍ରାନ୍ସଫର କରିନେଇଛନ୍ତି। ଠକେଇର ଶିକାର ବ୍ୟକ୍ତି ହେଲେ ଏୟାରପୋର୍ଟ ଥାନା ଅନ୍ତର୍ଗତ ପଳାଶପଲ୍ଲୀ ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲା ବ୍ରହ୍ମପୁର ଅଞ୍ଚଳର କୁଶ ଗୌଡ଼। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଇବର ଠକ ବିଭିନ୍ନ ପର୍ଯ୍ୟାୟରେ ୨୯ ହଜାର ୭୦୦ଟଙ୍କା ନେଇଯାଇଥିବା ସେ ରବିବାର ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, କୁଶ ଏକ ଘରୋଇ କମ୍ପାନୀ ପାଇଁ ଠିକାରେ କାମ କରୁଛନ୍ତି। ଶନିବାର ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ କୁଶଙ୍କ ଆକାଉଣ୍ଟକୁ କାମ ପାଇଁ ୩୦ ହଜାର ଟଙ୍କା ପଠାଇଥିଲେ। ରବିବାର ସକାଳେ ସହକର୍ମୀଙ୍କୁ ଟଙ୍କା ଦେବାକୁ କୁଶ ତାଙ୍କ ପୁଅଙ୍କୁ ଡେବିଟ୍‌ କାର୍ଡ ଦେଇ ଏଟିଏମ୍‌କୁ ପଠାଇଥିଲେ। ଯାଞ୍ଚ କରିବାରୁ ଆକାଉଣ୍ଟରେ ଟଙ୍କା ନ ଥିବା ଜଣାପଡ଼ିଥିଲା। ତେଣୁ ଏନେଇ ତାଙ୍କ ସ୍ତ୍ରୀ ବ୍ୟାଙ୍କକୁ ଯାଇଥିଲେ। ଦୁଇଥର ୧୦ ହଜାର ଏବଂ ଥରେ ୯ ହଜାର ୭୦୦ ଟଙ୍କା ୟୁପିଆଇ ଦ୍ୱାରା ନିଆଯାଇଥିବା ବ୍ୟାଙ୍କ କର୍ମଚାରୀ ଜଣାଇଥିଲେ। ତେବେ କୁଶଙ୍କ କହିବା ଅନୁଯାୟୀ ତାଙ୍କ ପାଖରେ ସ୍ମାର୍ଟ ଫୋନ ନ ଥିବାରୁ କୌଣସି ୟୁପିଆଇ ଆପ୍‌ ସେ ବ୍ୟବହାର କରୁନାହାନ୍ତି। ୟୁପିଆଇ ଦ୍ୱାରା କିପରି ଟଙ୍କା ନିଆଗଲା ସେନେଇ ସେ ଚିନ୍ତାରେ ପଡ଼ିଛନ୍ତି। ପୋଲିସ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କଠାରୁ ଟ୍ରାଞ୍ଜାକ୍ସନ୍‌ ବିବରଣୀ ମାଗି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

Share