‘ଲକ୍ଷ୍ମୀ’ ବସରେ ଆରମ୍ଭ ହେଲା ‘ୟୁପିଆଇ କ୍ୟୁଆର କୋଡ’ ବ୍ୟବସ୍ଥା

ଭୁବନେଶ୍ୱର,୧୩ା୧୨: ରାଜ୍ୟରେ ‘ଲକ୍ଷ୍ମୀ’ ବସରେ ଯାତାୟତ ବେଳେ କ୍ୟାସଲେସ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ‘ୟୁପିଆଇ କ୍ୟୁଆର କୋଡ’ର ଶୁଭାରମ୍ଭ କରାଯାଇଛି । ଏହାଦ୍ୱାରା ଯାତ୍ରୀମାନେ ସୁବିଧାରେ କ୍ୟୁଆର କୋଡ ସ୍କାନ କରି ଟଙ୍କା ଦେଇପାରିବେ।

ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦିଆଯାଇଥିବାରୁ ଏହାର ଭୂୟସୀ ପ୍ରଶଂସା କରିଛନ୍ତି ଏବଂ ଓଏସ୍‌ଆରଟିସିର ଏହି ପଦକ୍ଷେପକୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ଓଏସଆରଟିସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକ କହିଛନ୍ତି, ‘ଏହା ବୈଷୟିକ ପ୍ରଗତିକୁ ସୂଚାଉଛି ଏବଂ କ୍ୟୁଆର କୋଡର ଶୁଭାରମ୍ଭ ସାର୍ବଜନୀନ ପରିବହନ ସେବା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

ପରିବହନ କମିଶନର ଅମିତାଭ ଠାକୁର ଏହି ଅଭିନବ ପ୍ରୟାସ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି, ‘ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଏବଂ ଏଚଡିଏଫସି ମଧ୍ୟରେ ଭାଗିଦାରିତା ଏହି ପେମେଣ୍ଟ ପଦ୍ଧତିକୁ ସଫଳ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

Share