ନୂଆଦିଲ୍ଲୀ,୨୫।୩: ‘ଦ କଶ୍ମୀର ଫାଇଲ୍ସ’କୁ ବିଭିନ୍ନ ରାଜ୍ୟରେ ଟିକସ୍ ଛାଡ଼ କରାଯିବା ପରେ ଜାତୀୟ ରାଜଧାନୀରେ ସମାନ ଦାବି ରଖିଥିଲେ ବିରୋଧୀ ଭାଜପା। ବିଧାନସଭାରେ ଏହାର ଉତ୍ତର ରଖି ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ୍ କରିଦେବାକୁ ପରାମର୍ଶ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ।
“ସେମାନେ ଦ କଶ୍ମୀର ଫାଇଲ୍ସକୁ ଟିକସ୍ ମୁକ୍ତ କରିବା ପାଇଁ ଦାବି କରୁଛନ୍ତି। ଏହାକୁ ୟୁଟ୍ୟୁବରେ ଅପଲୋଡ୍ କରି ଦିଅ, ଯାହା ସଭିଙ୍କ ପାଇଁ ଫ୍ରି ହୋଇଯିବ” ବୋଲି କେଜରିଓ୍ବାଲ ଦିଲ୍ଲୀ ବିଧାନସଭାରେ କହିଥିଲେ।
“ତୁମେ ଏହାକୁ ଟିକସ୍ ମୁକ୍ତ କରିବା ପାଇଁ ଆମକୁ କାହିଁକି ପଚାରୁଛ। ଯଦି ଆପଣମାନେ ଏତେ ଚାହୁଁଛନ୍ତି, ତେବେ ବିବେକ ଅଗ୍ନିହୋତ୍ରୀଙ୍କୁ କୁହନ୍ତୁ ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ୍ କରିଦେବେ। ଏହା ସଭିଙ୍କ ଫାଇଁ ଦେୟମୁକ୍ତ ହେବ। ସମସ୍ତେ ଏହାକୁ ଦେଖି ପାରିବେ। ସେଠାରେ ଟିକସ୍ ଛାଡ଼ କରିବା କିଛି ଦରକାର ନାହିଁ” ବୋଲି କେଜରିଓ୍ବାଲ କହିଥିଲେ। ଉଲ୍ଲେଖଯୋଗ୍ୟ, ‘ଦ କଶ୍ମୀର ଫାଇଲ୍ସ’ ଫିଲ୍ମକୁ ଭାଜପା ଶାସନରେ ଥିବା ଉତ୍ତରପ୍ରଦେଶ, ତ୍ରିପୁରା, ଗୋଆ, ହରିୟାଣା, ଗୁଜରାଟ ଏବଂ ଉତ୍ତରାଖଣ୍ଡରେ ଟିକସ୍ ମୁକ୍ତ କରାଯାଇଛି।