ନର୍ଗିସଙ୍କ ବିବାହ ଖବର ଶୁଣି ନିଜ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିଲେ ରାଜ କପୁର

ମୁମ୍ବାଇ, ୧୪।୧୨: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୬ ତମ ଜନ୍ମ ବାର୍ଷିକୀ ସୋମବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ ଜନ୍ମ ଗ୍ରହଣ କରିଥିଲେ। ୧୦ ବର୍ଷ ବୟସରୁ ସେ ଆରମ୍ଭ କରିଥିଲେ ନିଜର ଫିଲ୍ମ ଯାତ୍ରା। ୨୪ ବର୍ଷ ବୟସରେ ସେ ନିର୍ଦ୍ଦେଶକ ଭାବେ ଆଗ୍‌ ଫିଲ୍ମ ନିର୍ମାଣ କରିଥିଲେ। ତାଙ୍କ ଜୀବନରେ ଥିଲା ୩ଟି ଦୁର୍ବଳତା। ଏସମ୍ପର୍କରେ ଋଷି କପୁର ନିଜ ଆତ୍ମ ଜୀବନୀ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରେ ପ୍ରଥମ ଦୁର୍ବଳତା ଅଭିନେତ୍ରୀ ନର୍ଗିସ୍‌ ଥିବାବେଳେ ଦ୍ୱିତୀୟ ଦୁର୍ବଳତା ସିନେମା ଏବଂ ତୃତୀୟ ଦୁର୍ବଳତା ଥିଲା ମଦ୍ୟପାନ। ନର୍ଗିସ୍‌ଙ୍କୁ ରାଜକପୁର ଭଲ ପାଉଥିଲେ। ଏହି ଯୋଡ଼ି ୯ ବର୍ଷ ମଧ୍ୟରେ ୧୪ଟି ଫିଲ୍ମରେ ଅଭିନୟ କରିଥିଲେ। ଆର.କେ.ଷ୍ଟୁଡିଓ ଲୋଗୋରେ ନର୍ଗିସ୍‌ଙ୍କୁ ସଂଯୁକ୍ତ କରାଯାଇଥିଲା। ତେଣୁ ତାଙ୍କୁ ଇନ୍‌ ଡ଼ାଇସ୍‌ ହିରୋଇନ୍‌ କୁହାଯାଉଥିଲା। ୧୯୫୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ଚୋରି ଚୋରି ରାଜ କପୁର ଏବଂ ନର୍ଗିସ୍‌ ଯୋଡିଙ୍କର ଶେଷ ଫିଲ୍ମ ଥିଲା। ନର୍ଗିସ୍‌ଙ୍କ ବିବାହ ଖବର ଶୁଣି ରାଜକପୁର ସାଙ୍ଗମାନଙ୍କ ଆଗରେ ଜୋର୍‌ରେ କାନ୍ଦିବା ସହିତ ଏହା ସ୍ବପ୍ନକି ସତ୍ୟ ଜାଣିବା ପାଇଁ ନିଜ ଦେହରେ ସିଗାରେଟ୍‌ ଚେଙ୍କ ଦେଇଥିଲେ। ୧୯୮୮ ଜୁନ୍‌ ୨ରେ ରାଜ କପୁର ଦେହତ୍ୟାଗ କରିଥିଲେ।

Share