ପାଲାନପୁର,୨ା୬: ଗୁଜରାଟର ବନସ୍କଣ୍ଠା ଜିଲାର ମୋଟା ଗ୍ରାମରେ ଜଣେ ଦଳିତ ଯୁବକ ଭଲ ପୋଷାକ ଓ ଚଷମା (ସନ୍ଗ୍ଲାସ୍) ପିନ୍ଧିବାରୁ ଉଚ୍ଚ ବର୍ଗର ଲୋକେ କ୍ରୋଧାନ୍ବିତ ହୋଇ ତାଙ୍କୁ ମାଡ଼ ମାରିଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ଯୁବକଙ୍କ ମାଆଙ୍କୁ ମଧ୍ୟ ଆକ୍ରମଣ ହୋଇଛି। ଉଭୟେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୀଡ଼ିତଙ୍କ ଅଭିଯୋଗ କ୍ରମେ ପୋଲିସ ୭ ଜଣଙ୍କ ବିରୋଧରେ ଏତଲା ଦାଏର କରିଛି। ଅଭିଯୋଗ ଅନୁଯାୟୀ ପୀଡ଼ିତ ଯୁବକ ମଙ୍ଗଳବାର ସକାଳେ ଭଲ ପୋଷାକ ଓ ସନ୍ଗ୍ଲାସ୍ ପିନ୍ଧି ନିଜ ଘର ବାହାରେ ଛିଡ଼ାହୋଇଥିବାବେଳେ ଜଣେ ଅଭିଯୁକ୍ତ ତାଙ୍କ ପାଖକୁ ଆସି ‘ଆଜିକାଲି ତୁ ବହୁତ ଉପରକୁ ଉଠିଗଲୁଣି’ ବୋଲି କହିବା ସହ ହତ୍ୟା ଧମକ ଦେଇଥିଲେ। ସେହି ରାତିରେ ପୀଡ଼ିତ ଜଣକ ଗାଁ ମନ୍ଦିର ବାହାରେ ଛିଡ଼ା ହୋଇଥିବାବେଳେ ୬ ଜଣ ବ୍ୟକ୍ତି ଲାଠି ଧରି ଆସି କ’ଣ ପାଇଁ ଭଲ ପୋଷାକ ଓ ସନ୍ଗ୍ଲାସ୍ ପିନ୍ଧିଛୁ ବୋଲି ପ୍ରଶ୍ନ କରିବା ସହ ମାଡ଼ ମାରି ଏକ ଡେଏରି ପାର୍ଲର ପଛପଟକୁ ଘୋଷାଡ଼ି ନେଇଥିଲେ। ଯୁବକଙ୍କୁ ବଞ୍ଚାଇବା ପାଇଁ ତାଙ୍କ ମାଆ ଧାଇଁଆସିବାରୁ ତାଙ୍କୁ ମଧ୍ୟ ମାଡ଼ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କ ପୋଷାକ ଚିରିଦେଇଥିଲେ ବୋଲି ଅଭିଯୋଗ ହୋଇଛି।