କାଳବୈଶାଖୀର ତାଣ୍ଡବ: ଉପୁଡ଼ିଲା ବିଦ୍ୟୁତ୍‌ଖୁଣ୍ଟ, ଭାଙ୍ଗିଲା ବଡ଼ବଡ଼ ଗଛ

ପାଟଣା,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ବର୍ଷା ପବନ ସାଙ୍ଗକୁ ତୁହାକୁ ତୁହା ପବନ ଏବଂ ଘଡ଼ଘଡ଼ି ଯୋଗୁ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡ଼ିବା ସହ ଅନେକ ଘରଦ୍ୱାର ଭାଙ୍ଗିପଡ଼ିଛି। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଦୀର୍ଘ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ହେବ ପାଟଣା ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କାଳ ବୈଶାଖୀ ଫଳରେ ଟାଙ୍ଗରାପଡ଼ା କେନ୍ଦେଇ ପଶି ରାସ୍ତାର ହନୁମାନ ଛକ ନିକଟରେ ୩୩ କେଭି ବିଦ୍ୟୁତ୍‌ ଲାଇନର ୬ଟି ଖୁଣ୍ଟ ନଇଁ ପଡ଼ିଥିବା ବେଳେ ଟାଙ୍ଗରପଡ଼ା ନିକଟରେ ୧୧ କେଭିର ୨ଟି ଖୁଣ୍ଟ ଓ ଗାଲଫୁଲାଛକ ନିକଟରେ ୨ଟି ଖୁଣ୍ଟ ଭାଙ୍ଗିପଡ଼ିଛି। ଟାଙ୍ଗରାପଡ଼ା ଛକରେ ବବୃବାହନ ସାହୁଙ୍କ ହାର୍ଡ ଓ୍ବୟାର ଦୋକାନ ଉପରେ ଏକ କଦମ୍ବ ଗଛ ଭାଙ୍ଗି ପଡ଼ିଛି। ଅନୁରୂପ ଭାବେ ଟାଙ୍ଗରାପଡ଼ା ସୁଦେଶ କୁମାର ସାହୁଙ୍କ କୁକୁଡ଼ା ଫାର୍ମ ଉପରେ ଏକ ଶାଗୁଆନ ଗଛ ଟଳି ପଡ଼ିବାରୁ ଫାର୍ମ ଭାଙ୍ଗିଯିବା ସହ ୩୨୦କୁକୁଡ଼ା ଛୁଆ ମରି ଯାଇଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share