Categories: ଜାତୀୟ

ଲୋକ ସଭା ନିର୍ବାଚନ ପାଇଁ ବଦଳିଲା ୟୁପିଏସସି ପ୍ରିଲିମ୍ସ ତାରିଖ

ନୂଆଦିଲ୍ଲୀ,୧୯।୩: ୟୁନିୟନ ପବ୍ଲିକ ସର୍ଭିସ କମିଶନ(ୟୁପିଏସସି) ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ୨୦୧୪ର ତାରିଖ ପରିବର୍ତ୍ତନ କରିଛି। ପୂର୍ବରୁ ଏହି ପରୀକ୍ଷା ୨୬ ମେ ୨୦୨୪ରେ ଅନୁଷ୍ଠିତ ହେବାକୁ ଯାଉଥିଲା, ବର୍ତ୍ତମାନ ଲୋକ ସଭା ନିର୍ବାଚନ ପରେ ଏହା ୧୬ଜୁନ ରେ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଏପ୍ରିଲରୁ ଜୁନ ୨୦୨୪ପର୍ଯ୍ୟନ୍ତ ଦେଶରେ ୧୮ତମ ଲୋକ ସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ସିଭିଲ ସର୍ଭିସ ପରୀକ୍ଷା ପାଇଁ ୧୫୦୬ଟି ପଦବୀ ଏବଂ ଭାରତୀୟ ବୈଦେଶିକ ଅଧିକାରୀ ସେବା ପାଇଁ ୧୫୦ଟି ପଦବୀ ପାଇଁ ୟୁପିଏସସି ବିଜ୍ଞପ୍ତି ଜାରି କରିଛି। ସୂଚନାଯୋଗ୍ୟ, ୟୁପିଏସସି ତିନୋଟି ପର୍ଯ୍ୟାୟରେ ପରୀକ୍ଷା କରେ। ଏଥିରେ ପ୍ରିଲିମ, ମେନ ଏବଂ ପର୍ସନାଲିଟି ଟେଷ୍ଟ ଅନ୍ତର୍ଭୁକ୍ତ।
ୟୁନିୟନ ପବ୍ଲିକ ସର୍ଭିସ କମିଶନ ୧୪ ଫେବୃଆରୀରେ ସିଭିଲ ସର୍ଭିସ ପରୀକ୍ଷାର ପ୍ରାଥମିକ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ବିଜ୍ଞପ୍ତିରେ କମିଶନ ପରୀକ୍ଷା ତାରିଖକୁ ୨୬ମେ’ ଭାବରେ ଦେଇଥିଲେ। ଯାହା ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୟୁପିଏସସି ଦ୍ୱାରା ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହି ପରୀକ୍ଷା ୧୬ ଜୁନ ୨୦୨୪ରେ କରାଯିବ। ପ୍ରାର୍ଥୀଙ୍କୁ ଆଡମିଟ କାର୍ଡ ଏବଂ ପରୀକ୍ଷାର ଅନ୍ୟାନ୍ୟ ନିୟମାବଳୀ ସମ୍ବନ୍ଧରେ ସୂଚନା ଦିଆଯିବ।

Share