Categories: ଖେଳ

ଭାରତୀୟ ହକି ଦଳ ପାଇଁ କାର୍ଯ୍ୟ କରିବେ ଅପ୍‌ଟନ

ନୂଆଦିଲ୍ଲୀ, ୩୦ା୬ ଭାରତୀୟ କ୍ରିକେଟ ଟିମ୍‌ ପାଇଁ ମେଣ୍ଟାଲ କଣ୍ଡିଶନିଂ ଏକ୍ସପର୍ଟ ଭାବେ କାର୍ଯ୍ୟକରୁଥିବା ପ୍ୟାଡି ଅପ୍‌ଟନଙ୍କୁ ହକି ଇଣ୍ଡିଆ ଅନୁବନ୍ଧିତ କରିଛି। ଆଗାମ ଏସିଆନ ଚାମ୍ପିୟନ୍ସ ଟ୍ରଫି ଓ ଏସିଆ ଗେମ୍ସ ଲାଗି ସେ ଜାତୀୟ ପୁରୁଷ ହକି ଦଳକୁ ସହାୟତା କରିବେ। ବେଙ୍ଗାଲୁରୁସ୍ଥିତ ସାଇଠାରେ ଚାଲିଥିବା ଜାତୀୟ କୋଚିଂ କ୍ୟାମ୍ପରେ ଦକ୍ଷିଣ ଆଫ୍ରିକୀୟ ଅପ୍‌ଟନଙ୍କ ୩ ଭାଗ ବିଶିଷ୍ଟ ମେଣ୍ଟାଲ କଣ୍ଡିଶନିଂ ସେସନ ଶନିବାରଠାରୁ ଆରମ୍ଭ ହେବ। ହକି ଇଣ୍ଡିଆ ଓ ଭାରତୀୟ ହକି ଦଳ ସହିତ କାର୍ଯ୍ୟକରିବା ଲାଗି ସୁଯୋଗ ପାଇଥିବାରୁ ସେ ନିଜକୁ ଧନ୍ୟ ମନେକରୁଛନ୍ତି ବୋଲି ଅପ୍‌ଟନ ପ୍ରକାଶ କରିଛନ୍ତି। ଏଇ କିଛି ବର୍ଷ ହେଲା ଭାରତୀୟ ହକି ଦଳର ପ୍ରଦର୍ଶନରେ ବହୁ ଉନ୍ନତି ଘଟିଥିବା ସେ ଲକ୍ଷ୍ୟ କରିଛନ୍ତି। ଦଳର ମାନସିକ ଓ ମନସ୍ତାତ୍ତ୍ୱିକ ସ୍ଥିତିରେ ସୁଧାର ଆଣିବା ଦିଗରେ ସେ ଚେଷ୍ଟା କରିବେ। ଅପଟନଙ୍କର ପ୍ରଚୁର ଅଭିଜ୍ଞତା ରହିଛି। ୨୦୧୧ରେ ୨୮ ବର୍ଷ ବ୍ୟବଧାନରେ ଭାରତର ଦିନିକିଆ ବିଶ୍ୱକପ୍‌୍‌ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗ୍ୟାରି କର୍ଷ୍ଟେନଙ୍କ କୋଚିଂ ଷ୍ଟାଫ୍‌ର ସେ ଅଂଶବିଶେଷ ଥିଲେ।

Share